କଳାହାଣ୍ଡି: ଦାରିଦ୍ର୍ୟ ତାଡନା ଅସହ୍ୟ ହେବାରୁ ୨ ଯବାନ ଝିଅଙ୍କ ସହ ପରିବାର ସାହସ ବାନ୍ଧି ଘରୁ ଗୋଡ କାଢିଥିଲେ । ସୁଦୂର ତାମିଲନାଡୁକୁ ଯାଇଥିଲେ ଦାଦନ ଖଟିବାକୁ । ପରିବାରର ଦାରିଦ୍ର୍ୟ ଦୂର ହେଲାନି କିନ୍ତୁ ଚାଲିଗଲା ୨ ଯୁବତୀଙ୍କ ଜୀବନ । ଦାଦନ ଖଟିବାକୁ ଯାଇ ଗଲା ଜୀବନ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ମାନଝରୀ ଗାଁରେ ଏହି ଦୁଃଖ ଖବର ପହଞ୍ଚିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ୨ ଯୁବତୀଙ୍କ ତାମିଲନାଡ଼ୁରେ ମୃତ୍ୟୁ ହୋଇଛି । ତାମିଲନାଡ଼ୁର ପନରୀ ଥାନା ଅନ୍ତର୍ଗତ ମିନଜୁର ଇଟା ଭାଟିରେ ଉଭୟଙ୍କ ମୃତ୍ୟୁ ହୋଇଛି । ମୃତକ ୨ ଜଣ ହେଲେ ପ୍ରମିଳା ଚଣ୍ଡି ଏବଂ ୨୧ ବର୍ଷୀୟା ମଦନା ଚଣ୍ଡି ।
ସୂଚନାଅନୁଯାୟୀ, ଗୋଲାମୁଣ୍ଡା ମାନଝରୀ ଗାଁର ୨୦ ବର୍ଷୀୟା ପ୍ରମିଳା ଚଣ୍ଡି ଏବଂ ୨୧ ବର୍ଷୀୟା ମଦନା ଚଣ୍ଡି ତାଙ୍କ ପରିବାର ସହ ଇଟା ଭାଟିକୁ ଦଲାଲ ମାଧ୍ୟମରେ ଦାଦନ ଖଟିବାକୁ ଯାଇଥିଲେ । ଗତକାଲି ଟ୍ରକରେ ଇଟା ବୋଝେଇ କରୁଥିବା ବେଳେ ଇଟା ଭାଟି ଧସି ପଡିଥିଲା । ଭାଡିଟା ଯାକ ଇଟା ଚାପରେ ଉଭୟଙ୍କ ପ୍ରାଣବାୟୁ ଉଡିଯାଇଥିଲା । ସ୍ଥାନୀୟ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି । ମୃତ ଦେହ ବ୍ୟବଚ୍ଛେଦ ପରେ ମୃତକଙ୍କ ପରିବାର ସେଠାରେ ଶବ ସତ୍କାର କରିଛନ୍ତି । ମୃତକ ପରିବାରକୁ ଓଡିଶା ଫେରିବା ବ୍ୟବସ୍ଥା କରିବାକୁ ଇଟା ଭାଟି ମାଲିକଙ୍କୁ ଶ୍ରମ ବିଭାଗ ନିର୍ଦ୍ଦେଶ ଦେଇଛି ।
previous post
next post