(ମହାଭାରତ)ଭୁବନେଶ୍ୱର: ରାଜଧାନୀର ପ୍ରମୁଖ ସ୍ଥାନଗୁଡିକ ମଧ୍ୟରେ ରହୁଛି ବାଣୀବିହାର । କିନ୍ତୁ ଏହି ଭିଆଇପି ଏରିଆରେ ଖୁଲମ ଖୁଲା ଚାଲିଛି ଦେହ ବ୍ୟବସାୟ । ପୁଲିସ ଆଖି ଆଗରେ ଏସବୁ ଚାଲିଥିବା ବେଳେ କିନ୍ତୁ ପୁଲିସ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନ କରି ନିରବ ସମର୍ଥନ ଜଣାଉଥିବା ଅଭିଯୋଗ ହେଉଛି ।
ବାଣୀବିହାରର ସତସଙ୍ଗ ବିହାର, ଯେଉଁଠାରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ସତସଙ୍ଗ ମନ୍ଦିର ରହିଛି । ମନ୍ଦିରକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ୟ୍ୟଟକମାନେ ବୁଲିବାକୁ ଆସିଥାନ୍ତି । କିନ୍ତୁ ଏହି ଅଞ୍ଚଳ ଦିନକୁ ଦିନ ନିଶାଡି ଓ ଅସାମାଜିକ ଯୁବକଙ୍କ ଆଡ୍ଡା ପାଲଟିଲାଣି । କିଛି ଅସାମାଜିକ ଯୁବକ ଏଠାରେ ଅସ୍ଥାୟୀ ଭାବେ ଯୁବତୀମାନଙ୍କୁ ଆଣି ଦେହ ବେପାର କରୁଛନ୍ତି, ଯେଉଁଥି ପାଇଁ ଏହି ଅଞ୍ଚଳରେ ଅସାମାଜିକ ଲୋକଙ୍କ ଭିଡ ଜମୁଛି । କିନ୍ତୁ ଆଶ୍ଚର୍ୟ୍ୟର କଥା ଏହା ଯେ ସହିଦନଗର ଥାନା ଓ ଭୁବନେଶ୍ୱର ଡିସିପିଙ୍କ କାର୍ୟ୍ୟାଳୟଠାରୁ ମାତ୍ର କେଇ ମିଟର ଦୂରରେ ଏହିଭଳି ଅସାମାଜିକ କାର୍ୟ୍ୟ ହେଉଥିଲେ ବି ଚୁପ ବସିଛି ପୁଲିସ ।
ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି । ଏହି ଧନ୍ଦା କରୁଥିବା ବ୍ୟକ୍ତିମାନଙ୍କ ଉପରେ କୌଣସି ବଡ଼ବଡ଼ିଆଙ୍କ ହାତ ରହିଛି । ତେଣୁ ସବୁ ଜାଣି ମଧ୍ୟ ପୁଲିସ ଚୁପ ବସିଛି ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଗୋଟେ ପଟେ ଏହି ରାଜପଥ ଦେଇ ଭିଆଇପିଙ୍କ ଠାରୁ ଆରମ୍ଭ କରି ଭିଭିଆଇପିଙ୍କ କାରକେଡ ଯାଉଛି । ଏନେଇ ପ୍ରାୟ ସବୁ ସମୟରେ ଏଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇ ଥାଏ । କିନ୍ତୁ ଏସବୁ ସତ୍ତେ୍ୱ ବି ଏଠାରେ ବେଧଡକ ଚାଲିଛି ଦେହ ବେପାର । ପୁଲିସ ଆଖି ଆଗରେ ଏପରି ଲଜ୍ୟାଜନକ କାମ ଚାଲିଥିବାରୁ ପୁଲିସର କାର୍ୟ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
previous post