ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଚାଲିଗଲା ୪ ଜୀବନ। ଟ୍ରକକୁ ଏକ କାର ପଛରୁ ଧକ୍କା ଦେବା ଫଳରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ଦୋମୁହାଣିର ମେରାଇନ ଡ୍ରାଇଭ ନିକଟ ହାଇ ୱେରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଝାଡଖଣ୍ଡର ଜଣେ ମନ୍ତ୍ରୀଙ୍କ ଝିଅଙ୍କ ମୃତ୍ୟୁ ହୋଇଛି। ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ଦୀପିକା ପାଣ୍ଡେ ସିଂଙ୍କ ଝିଅ ତ୍ରିଶା ପ୍ରାଣ ହରାଇଥିବା ସୂଚନା ରହିଛି। ଅନ୍ୟ ମୃତକମାନେ ହେଲେ ସାର୍ଥକ ଅଗ୍ରୱାଲ, ନମନ ଗୁପ୍ତା ଏବଂ ବଂଶିକା ଖଣ୍ଡେଲୱାଲ। ସମସ୍ତେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଥିଲେ।

ସୂଚନା ଅନୂସାରେ, ଟ୍ରକ୍ର ଯାନ୍ତ୍ରିକ ତ୍ରୁଟି ଥିବା ଯୋଗୁ ବୁଧବାର ରାତି ୧୦ଟାରୁ ହାଇୱେର ଡାହାଣ ପାର୍ଶ୍ୱରେ ଡିଭାଇଡର ନିକଟରେ ପାର୍କିଂ ହୋଇଥିଲା। ଗୁରୁବାର ସକାଳେ କାରଟି ଦ୍ରୁତ ଗତିରେ ଆସି ଟ୍ରକକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଛି। ଖବର ପାଇ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଛି।
