ଭୁବନେଶ୍ୱର/ ସରୋଜ ରାଉତ: ରମାଦେବୀ ମହିଳା ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଭରତପୁର ଥାନାରେ ଅଭିଯୋଗ ହୋଇଛି । ପୁଲିସ ଏକ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି । ୨ଟି ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି । ତେବେ ନିଖୋଜ ହେବାର ୩୬ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଛାତ୍ରୀଙ୍କ କୌଣସି ପତ୍ତା ମିଳିନାହିଁ । ଛାତ୍ରୀ ଜଣଙ୍କ ଭରତପୁର ଥାନା ଅନ୍ତର୍ଗତ ଜଗନ୍ନାଥ ବିହାରରେ ସପରିବାର ରହୁଛନ୍ତି । ସେ ରମାଦେବୀ ମହିଳା ମହାବିଦ୍ୟାଳୟର ଯୁକ୍ତ-୩ ପ୍ରଥମ ବର୍ଷର ଛାତ୍ରୀ ।
ଗତକାଲି ପୂର୍ବାହ୍ନରେ ଛାତ୍ରୀ ଜଣଙ୍କ ଘର ଠାରୁ କିଛି ଦୂରରେ ଥିବା ଓମ୍ଫେଡ୍ ବୁଥକୁ କ୍ଷୀର ଆଣିବାକୁ ଯାଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ତାଙ୍କୁ ନ ପାଇ ଗତକାଲି ରାତି ୧୦ଟାରେ ଭରତପୁର ଥାନାରେ ପହଞ୍ଚି ଅପହରଣ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଛାତ୍ରୀ ଜଣଙ୍କ ନାବାଳିକା ହୋଇଥିବାରୁ ପୁଲିସ ମାମଲାକୁ ଗମ୍ଭୀରତାର ସହ ନେଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଚଳାଇଛି । ଛାତ୍ରୀଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଜଣେ ପୁରୁଷବନ୍ଧୁଙ୍କ ପରିବାର ଲୋକଙ୍କୁ ପୁଲିସ ଥାନାକୁ ଡକାଇ ପଚରାଉଚରା କରିଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଛାତ୍ରୀଙ୍କୁ ଖୋଜିବା ପାଇଁ ୨ଟି ଟିମ୍ ଗଠନ କରାଯାଇଛି । ବିିଭିନ୍ନ ସ୍ଥାନରେ ଟିମ୍ ଚଢ଼ଉ ଜାରି ରଖିଛନ୍ତି ।
previous post
