ରାଜନୀତି

ପଦ୍ମ ଛାଡିଲେ ଜଗନ୍ନାଥ: ବିକଳ୍ପ!

ଭୁବନେଶ୍ୱର: ବାବୁ ସିଂହ ବିଜେପି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ହେବାର ମାତ୍ର କିଛି ସମୟ ମଧ୍ୟରେ ମଧ୍ୟମ ଭୁବନେଶ୍ୱରର ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ଜଗନ୍ନାଥ ପ୍ରଧାନ ପଦ୍ମ ଛାଡି ଦେଲେ । ଜଗନ୍ନାଥଙ୍କ ଏପରି ଦଳ ଛାଡିବାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି, ବିଧାୟକ ହେବାରୁ ବିଫଳ ହେବା ପରେ ଜଗନ୍ନାଥଙ୍କର ଆଖି ବିଜେପି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ପଦ ଉପରେ ଥିଲା । ସେ ମଧ୍ୟ ଦଳର ପୁରୁଣା ଓ ଜଣେ ସଚ୍ଚୋଟ ନେତା ଥିଲେ । ଦଳର ବିକାଶ ପାଇଁ ସେ ବହୁ କାର୍ଯ୍ୟ କରିଛନ୍ତି । ଯୁବ ବିଜେପିରେ ତାଙ୍କ ପ୍ରତିପତି ମଧ୍ୟ ରହିଛି । ତେଣୁ ଚଳିତ ଥର ତାଙ୍କୁ ବିଜେଡିର ଅନନ୍ତ ନାରାୟଣ ଜେନାଙ୍କ ବିପକ୍ଷରେ ଠିଆ କରାଯାଇଥିଲା । କିନ୍ତୁ ନବୀନ ହାଉଆରେ ଜଗନ୍ନାଥ ହାରି ଯାଇଥିଲେ । ଏହା ବ୍ୟତୀତ ଜଗନ୍ନାଥଙ୍କର ବିଜେପିର ପରସ୍ପର ବିରୋଧ କୁହାଯାଉଥିବା ଦୁଇ ହେଭି ୱେଟ ନେତା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବେଶ ଭଲ ସମ୍ପର୍କ । ଏତେ ସବୁ ସତ୍ତେ୍ୱ ବାବୁ ସିଂହଙ୍କୁ ବିଜେପି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି କରିବା ସମସ୍ତଙ୍କୁ ଚକିତ କରିଛି ଓ ଜଗନ୍ନାଥଙ୍କୁ ମଧ୍ୟ ବ୍ୟଥିତ କରିଛି । ଯେଉଁଥି ପାଇଁ ସେ ଅବିଳମ୍ବେ ଦଳ ଛାଡିବାର ନିଷ୍ପତ୍ତି ନେଲେ ।
ତେବେ ଏପରି ତରବରିଆ ଭାବେ ଜଗନ୍ନାଥଙ୍କର ଦଳ ଛାଡିବା ପରେ ଏବେ ସେ କୁଆଡେ ଯିବେ ତାକୁ ନେଇ ଚର୍ଚ୍ଚା ଚାଲିଛି । କିଛି କହୁଛନ୍ତି କଂଗ୍ରେସରେ ମିଶି ପାରନ୍ତି, କିନ୍ତୁ କିଛି ବରିଷ୍ଠ ସାମ୍ବାଦିକଙ୍କ ଅନୁଯାୟୀ ବିଜେପି ଛାଡିବା ପରେ ଜଗନ୍ନାଥ ବିଜେଡିରେ ଯୋଗଦେବେ । କିନ୍ତୁ ରାଜନୈତିକ ବିଶେଷଜ୍ଞ କୁହନ୍ତି, ବିଜେଡିରେ ଯୋଗ ଦେବା ଆମକୁ କାହିଁ ସହଜ ମନେହେଉ ନାହିଁ । ନିର୍ବାଚନ ପୂର୍ବରୁ ଉଭୟ ବିଜେପି ଓ ବିଜେଡି ବିଧାୟକ ପ୍ରାର୍ଥିଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ହୋଇଥିଲା । ଏପରି କି ମଧ୍ୟମ ବିଧାୟକ ଅନନ୍ତ ତାଙ୍କ ଉପରକୁ ଜଗନ୍ନାଥ ପ୍ରଧାନ ବୋମା ମାଡ କରିଥିବା ନେଇ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ଯଦି ଜଗନ୍ନାଥ ବିଜେଡି ମୁହାଁ ହେଉଥିବେ ଏହାକୁ କଦାପି ଅନନ୍ତ ସହ୍ୟକରିବେ ନାହିଁ ନିଶ୍ଚିତ । ଯଦି ମଧ୍ୟ ବିଜେଡିରେ ମିଶିବେ, ତେବେ ଜଗନ୍ନାଥ କଦାପି ଭୁବନେଶ୍ୱର ଛାଡି ଯିବେ ନାହଁ । କାରଣ, ଭୁବନେଶ୍ୱର ହେଉଛି ଜଗନ୍ନାଥଙ୍କ ଗଡ । ସେ ଏଠାରେ ହିଁ ନିଜ ସାଂଗଠନିକ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି । ଏପରି ସମୟରେ ଭୁବନେଶ୍ୱର ଭିନ୍ନ କୌଣସି ସ୍ଥାନକୁ ସେ ଯିବା ଅସମ୍ଭବ । ଏହାକୁ ନେଇ ବିଜେଡିରେ ଅନନ୍ତ ଓ ଜଗନ୍ନାଥ ଗୋଷ୍ଠୀ ମଧ୍ୟରେ ତିକ୍ତତା ଉଗ୍ର ରୂପ ନେବ । ଏପରି ସମୟରେ ଦେଖିବାକୁ ବାକି ରହିଲା ଜଗନ୍ନାଥଙ୍କର ହେବ କଣ?

Related posts

ବିଜୟ ସର୍ବସମ୍ମତିକ୍ରମେ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ

mahabharatanews

ବିଧାନସଭାରେ ଅପରାଧ ଡାଏରୀ ଖୋଲିଲେ ଗୃହ ରାଷ୍ଟ୍ରମନ୍ତ୍ରୀ

mahabharatanews

ଆଜିଠୁ ଆରମ୍ଭ ହେଲା ବିଧାନସଭା ଶୀତକାଳୀନ ଅଧିବେଶନ

mahabharatanews