(ଇସଲାମାବାଦ): ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରଭେଜ ମୁଶାରଫଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିଛି । ତାଙ୍କ ବିରୋଧରେ ରୁଜୁ ହୋଇଥିବା ଦେଶଦ୍ରୋହ ଓ ଦେଶ ବିରୋଧରେ ଷଡଯନ୍ତ୍ର କରୁଥିବା ମାମଲାରେ ପାକିସ୍ତାନର ପେଶୱାର ହାଇକୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଏହି ରାୟ ଦେଇଛନ୍ତି । ଏହାସହ ପାକିସ୍ତାନ ଇତିହାସରେ ପ୍ରଥମଥର ପାଇଁ କୌଣସି ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି ।
ଗତ ସପ୍ତାହରେ ୭୬ ବର୍ଷୀୟ ମୁଶାରଫଙ୍କ ବୟାନ ଡିସେମ୍ବର ୫ ସୁଦ୍ଧା ରେକର୍ଡ କରିବାକୁ ସ୍ୱତନ୍ତ୍ର କୋର୍ଟ କହିଥିଲେ । କିନ୍ତୁ ମଙ୍ଗଳବାର ପେଶୱାର ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ୱାକାର ଅହମ୍ମଦ ସେଠଙ୍କ ନେତୃତ୍ୱର ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ୨୦୦୭ ମସିହାରେ ମୁସାରଫ ପାକିସ୍ତାନ ସମ୍ବିଧାନକୁ ରଦ୍ଧ କରିବା ସହ ଦେଶରେ ଜରୁରୀ ପରିସ୍ଥିତି ଲାଗୁ କରିଥିଲେ । ଏହି ସମୟରେ ଏକାଧିକ ବିଚାରପତି ଓ ନେତାଙ୍କୁ ବନ୍ଦୀ କରିଥିଲେ । ୨୦୧୪ ମାର୍ଚ୍ଚରେ ଏହି ମାମଲାରେ ତାଙ୍କର ସମ୍ପୃକ୍ତି ଥିବା କୋର୍ଟ କହିବା ସହ ସେବେଠାରୁ ମାମଲାର ଶୁଣାଣି ଜାରି ରଖିଥିଲେ । ଯାହାର ରାୟ ମଙ୍ଗଳବାର ଶୁଣାଇଛନ୍ତି ।
ଉଲ୍ଲେଖଯୋଗ୍ୟ, ମୁଶାରଫ ୨୦୦୧ରୁ ୨୦୦୮ ଯାଏ ପାକିସ୍ତାନର ରାଷ୍ଟ୍ରପତି ରହିଥିଲେ । ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ସର୍ବଦା ଆଡେଇ ଯିବା ସହ ଏହା ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଥିଲେ । ସେ ୨୦୦୮ରେ ଦେଶ ଛାଡିଥିବା ବେଳେ ୨୦୧୩ରେ ଫେରିଥିଲେ । କିନ୍ତୁ ୨୦୧୬ରେ ମେଡିକାଲ ଚେକଅପ୍ ପାଇଁ ଦୁବାଇ ଯାଇଥିଲେ । ସେବେଠାରୁ ସେ ସୁରକ୍ଷା ଓ ସ୍ୱାସ୍ଥ୍ୟଗତ ସମସ୍ୟା ଆଳରେ ଆଉ ପାକିସ୍ତାନ ଫେରିନାହାନ୍ତି ।
previous post