(ଭୁବନେଶ୍ୱର) : ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି । ଆଜିଠୁ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ପୂର୍ବରୁ ଗତକାଲି କାରକେଡ୍ ରିହରସେଲ କରାଯାଇଛି । କଟକ ଆଇନ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, SCB ମେଡିକାଲ କଲେଜ୍ ହସ୍ପିଟାଲର ବାର୍ଷିକ ଉତ୍ସବ ସମେତ ଓଡ଼ିଶା ହାଇକୋର୍ଟ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ ମହାମହିମ । ଆଗମନ ପୂର୍ବରୁ ତାଙ୍କୁ ଭବ୍ୟ ସ୍ୱାଗତ କରିବାକୁ ଚାଲିଛି ଜୋରଦାର ପ୍ରସ୍ତୁତି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ସୂଚନାନୁଯାୟୀ , ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ କଟକ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ । ଆଜି ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜଭବନରେ ରାତ୍ରୀଯାପନ କରିବେ । ଏହା ପରେ ୨୬ ତାରିଖ ପୂର୍ବାହ୍ନ ୮:୨୦ ମିନିଟରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଯାତ୍ରା କରିବେ । କଟକ ନରାଜ ହେଲିପ୍ୟାଡରେ ୮:୫୫ ରେ ଅବତରଣ କରି ସଡ଼କ ମାର୍ଗରେ ଯାଇ ପ୍ରଥମେ କଟକ ଚଣ୍ଡୀଙ୍କ ଦର୍ଶନ କରିବେ । ଏହା ପରେ ମଧୁବାବୁଙ୍କ ବାସସ୍ଥାନ ପରିଦର୍ଶନ କରି ପୁଷ୍ପମାଲ୍ୟ ଅର୍ପଣ କରିବେ । ପରେ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟକୁ ଯିବେ । ଏହାପରେ କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଓଡିଶା ହାଇକୋର୍ଟର ୭୫ ତମ ପ୍ରତିଷ୍ଠା ସମାରୋହର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତୀଥି ଭାବେ ଯୋଗ ଦେବେ ବୋଲି ସୂଚନା ମିଳିଛି ।
