ଦେଶ ଆସନ୍ତା ୧୫ ଅଗଷ୍ଟରେ ୮୦ତମ ସ୍ୱାଧୀନତା ଦିବସ ପାଳନ କରିବ। ଏହି ଅବସରରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ସ୍ୱାଧୀନତା ଦିବସର ମୁଖ୍ୟ ସମାରୋହ ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଓ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତ ହୋଇଛି।

ସକାଳ ୬ଟା ୫୦ ମିନିଟ୍ରେ ଲାଲକିଲ୍ଲାରେ ଗାର୍ଡ ଅଫ୍ ଅନର ନିଜ ନିଜ ସ୍ଥାନ ଗ୍ରହଣ କରିବେ। ଏହାପରେ ପ୍ରତିରକ୍ଷା ସଚିବ, ସ୍ଥଳସେନା, ନୌସେନା ଓ ବାୟୁସେନା ମୁଖ୍ୟଙ୍କ ସମେତ CDS ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସମାରୋହସ୍ଥଳରେ ପହଞ୍ଚିବେ। ସକାଳ ୭ଟା ୧୮ ମିନିଟ୍ରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ଲାହୋରୀ ଗେଟ୍ରେ ପହଞ୍ଚିବେ। ସେଠାରେ ପ୍ରତିରକ୍ଷାମନ୍ତ୍ରୀ, ପ୍ରତିରକ୍ଷା ରାଜ୍ୟମନ୍ତ୍ରୀ ଓ ପ୍ରତିରକ୍ଷା ସଚିବ ତାଙ୍କୁ ସ୍ୱାଗତ କରିବେ।

ଏହାପରେ ପ୍ରଧାନମନ୍ତ୍ରୀ ଗାର୍ଡ ଅଫ୍ ଅନରର ନିରୀକ୍ଷଣ କରି ଲାଲକିଲ୍ଲାର ପ୍ରାଚୀର ଉପରକୁ ଯିବେ। ସକାଳ ୭ଟା ୩୦ ମିନିଟ୍ରେ ଜାତୀୟ ସଙ୍ଗୀତ ପରିବେଷଣ ସହ ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବେ। ଏହାପରେ ଗାର୍ଡ ପକ୍ଷରୁ ଜାତୀୟ ସଲାମୀ, ବ୍ୟାଣ୍ଡ ପକ୍ଷରୁ ରାଷ୍ଟ୍ରଗାନ ଏବଂ ୨୧ ତୋପର ସଲାମୀ ଦିଆଯିବ।ସମାରୋହ ସମୟରେ ଭାରତୀୟ ବାୟୁସେନାର Mi-17 ହେଲିକପ୍ଟର ଫ୍ଲାଏପାଷ୍ଟ କରିବ। ହେଲିକପ୍ଟରରୁ ଉପସ୍ଥିତ ଅତିଥିମାନଙ୍କ ଉପରେ ପୁଷ୍ପବର୍ଷା କରାଯିବ। ହେଲିକପ୍ଟରରେ ତ୍ରିରଙ୍ଗା ଓ ‘ବନ୍ଦେ ମାତରମ୍’ ପତାକା ମଧ୍ୟ ଦେଖିବାକୁ ମିଳିବ।

ପତାକା ଉତ୍ତୋଳନ ପରେ ସକାଳ ୭ଟା ୩୬ ମିନିଟ୍ରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ତାଙ୍କ ଭାଷଣ ପରେ ଜାତୀୟ ସଙ୍ଗୀତ ଓ ରାଷ୍ଟ୍ରଗାନ ହେବ। ଏହାପରେ ବେଲୁନ୍ ଉଡ଼ାଯାଇ କାର୍ଯ୍ୟକ୍ରମର ସମାପ୍ତି ହେବ। ଏଥରର ସ୍ୱାଧୀନତା ଦିବସ ସମାରୋହକୁ ନେଇ ଲାଲକିଲ୍ଲା ଓ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷାକୁ ମଧ୍ୟ କଡ଼ା କରାଯାଇଛି। ସ୍ୱାଧୀନତା ଦିବସର ମୁଖ୍ୟ ଆକର୍ଷଣ ଭାବେ ପତାକା ଉତ୍ତୋଳନ, ୨୧ ତୋପର ସଲାମୀ, ବାୟୁସେନାର ଫ୍ଲାଏପାଷ୍ଟ ଏବଂ ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କ ପ୍ରତି ସମ୍ବୋଧନ ରହିବ।
