ତାମିଲନାଡୁର ତ୍ରିଚିରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ପ୍ରସିଦ୍ଧ ସମାୟପୁରମ୍ ମରିଅମ୍ମାନ ମନ୍ଦିରର ମଣ୍ଡପରେ ଶୋଇଥିବା ଜଣେ ମହିଳା ଭକ୍ତଙ୍କ ଉପରେ ଛାତର ଏକ ଅଂଶ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ସମାୟପୁରମ୍ ମରିଅମ୍ମାନ ମନ୍ଦିର ତାମିଲନାଡୁର ସବୁଠାରୁ ବଡ଼ ଶକ୍ତି ମନ୍ଦିର ମଧ୍ୟରୁ ଗୋଟିଏ। ଦୂରଦୂରାନ୍ତରୁ ଭକ୍ତମାନେ ଏଠାକୁ ପାଦରେ ଆସି ମଣ୍ଡମରେ ରାତ୍ରୀଯାପନ କରନ୍ତି ଏବଂ ସକାଳେ ମାତା ମରିଅମ୍ମାନଙ୍କ ଦର୍ଶନ କରନ୍ତି।

ତେବେ ଯାହା ସୂଚନା ରହିଛି , ତାଞ୍ଜାଭୁର ଜିଲ୍ଲାର ୩୨ବର୍ଷୀୟା ମହିଳା ନାଥିଆ, ଯିଏ ତାଙ୍କ ପରିବାର ସହିତ ଆସିଥିଲେ, ଅନ୍ୟ ଭକ୍ତମାନଙ୍କ ସହିତ ମଣ୍ଡପମରେ ଶୋଇଥିଲେ। ହଠାତ୍ ଛାତର ଏକ ବଡ଼ ଅଂଶ ଖସି ପଡ଼ି ତିନି ଜଣ ମହିଳା ଭକ୍ତଙ୍କ ଉପରେ ପଡ଼ିଗଲା। ନାଥିଆ ଗୁରୁତର ଆହତ ହୋଇଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇ ମହିଳାଙ୍କୁ ଉପସ୍ଥିତ ଅନ୍ୟ ଭକ୍ତମାନେ ଉଦ୍ଧାର କରି ଜିଲ୍ଲା ସରକାରୀ ଡାକ୍ତରଖାନାକୁ ନେଇଯାଇଥିଲେ, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି। ଘଟଣା ବିଷୟରେ ସୂଚନା ପାଇ ସମାୟପୁରମ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏତେ ବଡ଼ ଏବଂ ପ୍ରସିଦ୍ଧ ମନ୍ଦିର କାହିଁକି କୋଠାର ନିୟମିତ ଯାଞ୍ଚ କରୁନାହିଁ ଏବଂ ଭକ୍ତଙ୍କ ସୁରକ୍ଷା ପାଇଁ କିଏ ଦାୟୀ ରହିବ, ସେ ବିଷୟରେ ପ୍ରଶ୍ନ ଉଠାଯାଉଛି।
ଏହି ଦୁର୍ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ମନ୍ଦିରରେ ବହୁ ସଂଖ୍ୟକ ଭକ୍ତ ଉପସ୍ଥିତ ଥିଲେ। ଲୋକମାନେ ବିଶ୍ୱାସ ସହିତ ଆସୁଥିବା ବେଳେ, ଏପରି ଘଟଣା ମନ୍ଦିର ପ୍ରଶାସନର ଅବହେଳା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।
