ଓଡିଶା

ମହାପ୍ରଭୁଙ୍କ ସେବାରେ ୬ ମାସ ୨୧ ଦିନର ସର୍ବକନିଷ୍ଠ ଦଇତାପତି ଶ୍ରୀଅଂଶ

ପୁରୀ: ଶ୍ରୀଜଗନ୍ନାଥଙ୍କ ଅଣସର ନୀତି ଅବସରରେ ଏବେ ମହାପ୍ରଭୁଙ୍କ ଗୁପ୍ତ ସେବାରେ ସାମିଲ ହୋଇଛନ୍ତି ସର୍ବକନିଷ୍ଠ ଦଇତାପତି ଶ୍ରୀଅଂଶ ଦାସ ମହାପାତ୍ର। ତାଙ୍କ ବୟସ ମାତ୍ର ୬ ମାସ ୨୧ ଦିନ। ଏତେ କମ୍ ବୟସରେ ମହାପ୍ରଭୁଙ୍କ ସେବାରେ ସାମିଲ ହେବା ଦଇତା ପରମ୍ପରାର ଏକ ନିଆରା ଦୃଶ୍ୟ।

ଦେବସ୍ନାନ ପୂର୍ଣ୍ଣିମା ପରେ ମହାପ୍ରଭୁ ଅଣସର ଘରେ ବିରାଜମାନ ଥିବା ବେଳେ ଦଇତାପତି ସେବକମାନଙ୍କ ଦ୍ୱାରା ଗୁପ୍ତ ସେବା ଚାଲିଛି। ଏହି ପରମ୍ପରାରେ ଶ୍ରୀଅଂଶ ମଧ୍ୟ ପ୍ରଥମ ଥର ପାଇଁ ଅଣସର ସେବାରେ ଯୋଗ ଦେଇଛନ୍ତି। ସେ ପୁରୀର ଦୋଳମଣ୍ଡପ ସାହିର ଶିବାନୀ ପ୍ରସାଦ ଦାସ ମହାପାତ୍ରଙ୍କ ପୁଅ।

ଦଇତାପତି ବେଶ ପରିଧାନ କରି ମକୁଟ ପିନ୍ଧି ଶ୍ରୀଅଂଶ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ଅଣସର ତାଟି ଦେଇ ଅଣସର ପିଣ୍ଡିରେ ବିଜେ ମହାପ୍ରଭୁଙ୍କ ନିକଟରେ ପାଉଣା ଭେଟି ଅର୍ପଣ କରିବା ସହ ଚକଟା ଭୋଗ ସେବନ କରି ସର୍ବକନିଷ୍ଠ ଦଇତାପତି ସେବକ ଭାବେ ନିଜ ସେବା ଆରମ୍ଭ କରିଛନ୍ତି।

ଦଇତାକୂଳର ପ୍ରାଚୀନ ପରମ୍ପରା ଅନୁଯାୟୀ, ଜନ୍ମର ୨୧ ଦିନ ପରେ ଶିଶୁକୁ ଦଇତା ଭାବେ ଗଣନା କରାଯାଏ। ଅଣସରର ପଞ୍ଚମୀ ତିଥି ପରଦିନଠାରୁ କୁନି ଦଇତାପତିମାନେ ମହାପ୍ରଭୁଙ୍କ ଗୁପ୍ତ ସେବାରେ ସାମିଲ ହୁଅନ୍ତି। ସେହି ପରମ୍ପରାକୁ ଅନୁସରଣ କରି ଶ୍ରୀଅଂଶ ମଧ୍ୟ ଏବେ ଏହି ପବିତ୍ର ସେବାର ଅଂଶୀଦାର ହୋଇଛନ୍ତି।

ଏତେ କମ୍ ବୟସରେ ସେବାର ନୀତିକାନ୍ତି ବିଷୟରେ ଅଜ୍ଞ ଥିଲେ ମଧ୍ୟ, ଆଗାମୀ ଦିନରେ ପରମ୍ପରାକୁ ଅକ୍ଷୁଣ୍ଣ ରଖି ସମର୍ପଣର ସହ ମହାପ୍ରଭୁଙ୍କ ସେବା କରିବେ ବୋଲି ତାଙ୍କ ବଡ଼ବାପା ଭବାନୀ ପ୍ରସାଦ ଦାସ ମହାପାତ୍ର ପ୍ରକାଶ କରିଛନ୍ତି। କୁନି ଦଇତାପତି ଶ୍ରୀଅଂଶଙ୍କ ଏହି ସେବାକୁ ନେଇ ଭକ୍ତ ଓ ଶ୍ରୀଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ବେଶ୍ ଆଗ୍ରହ ଦେଖିବାକୁ ମିଳିଛି।

Related posts

୨୩ବର୍ଷ ପରେ ଶତାବ୍ଦୀର ପ୍ରଥମ ଧୂମକେତୁ ଖାଲି ଆଖିରେ ଦିଶୁଚି

mahabharatanews

ପରୀକୁ ନ୍ୟାୟ ଓ ଶିଶୁ ଅତ୍ୟାଚାର ରୋକିବା ଦାବିରେ ଜିଲ୍ଲା କଂଗ୍ରେସର ଧାରଣା

mahabharatanews

ବଜ୍ରପାତରେ ଜନିତ ଶିଶୁ ସହ ଦମ୍ପତି ଆହତ

mahabharatanews