ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜିରେ ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ଜଣେ ମହିଳା ସରପଞ୍ଚ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରି ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲି ଓଝା ନିଜର ଦୁଇଟି ମୁଖ୍ୟ ଦାବି ପୂରଣ ପାଇଁ ଏହି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେ ବିଶେଷ କରି ମହାକାଳପଡ଼ା ବିଡ଼ିଓ ରବି ନାରାୟଣ ଆଚାର୍ଯ୍ୟ ଏବଂ ମହାକାଳପଡ଼ା ଆଇଆଇସି ମାନସ ମଲ୍ଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ସୂଚନା ଅନୁଯାୟୀ, ସରପଞ୍ଚ ଚାମେଲି ଓଝା ପଞ୍ଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟ ବିଷୟରେ ଆଲୋଚନା କରିବା ପାଇଁ ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟକୁ ଆସିଥିଲେ। ଏହି ସମୟରେ ବ୍ଲକ କାର୍ଯ୍ୟାଳୟ ପରିସରରେ ହିଁ କିଛି ଲୋକ ଚାମେଲିଙ୍କୁ ଅତର୍କିତ ଭାବେ ଗାଳିଗୁଲଜ କରିବା ସହ ତାଙ୍କ ମୋବାଇଲ୍ ଛଡ଼ାଇ ନେଇଥିଲେ। ବିଡିଓ ଅଫିସ୍ ଭିତରେ ତାଙ୍କ ଉପରେ ସଂଘାତିକ ଆକ୍ରମଣ ହୋଇଥିବା ନେଇ ମଧ୍ୟ ସେ ଅଭିଯୋଗ କରିଛନ୍ତି।
ସରକାରୀ କାର୍ଯ୍ୟାଳୟ ଭିତରେ ଜଣେ ମହିଳା ଜନପ୍ରତିନିଧିଙ୍କୁ ଆକ୍ରମଣ ହେବା ଏବଂ ଏପର୍ଯ୍ୟନ୍ତ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାନଯିବା ପ୍ରଶାସନର ନିରପେକ୍ଷତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ଥାନୀୟ ବିଡିଓ ଓ ଆଇଆଇସିଙ୍କ ସଲାସୁତୁରା ଯୋଗୁଁ ଅଭିଯୁକ୍ତମାନେ ଖସି ବୁଲୁଛନ୍ତି ବୋଲି ଅଭିଯୋଗ କରି ସେ ଭୁବନେଶ୍ୱରରେ ଧାରଣା ଦେଇଛନ୍ତି। ଯେପର୍ଯ୍ୟନ୍ତ ଉଭୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ, ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସରପଞ୍ଚ ଚାମେଲି ଓଝା ଚେତାବନୀ ଦେଇଛନ୍ତି।
