(ପାଟନା): ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ଘରେ ଫ୍ୟାମିଲି ହାଇଭୋଲଟେଜ ଡ୍ରାମା ଦିନକୁ ଦିନ ବଢିବାରେ ଲାଗିଛି । କିଛି ଦିନ ହେବ ଲାଲୁଙ୍କ ବଡ ପୁଅ ତେଜପ୍ରତାପ ଏବଂ ବୋହୂ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ଛାଡପତ୍ରକୁ ନେଇ ଖବର ଜୋର ଧରିଥିବା ବେଳେ ଆଉ ଏକ ଖବର ସାମ୍ନାକୁ ଆସିଛି । ତେଜପ୍ରତାପ ଯାଦବଙ୍କ ମାଆ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀ ବୋହୂ ଐଶ୍ୱର୍ଯ୍ୟାଙ୍କ ସମସ୍ତ ଜିନିଷ ପତ୍ର ଏକାଠି କରି ଭ୍ୟାନ ଯୋଗେ ତାଙ୍କ ବାପ ଘରକୁ ପଠାଇ ଦେଇଛନ୍ତି ।
ରାବଡ଼ି ପଠାଇଥିବା ଐଶ୍ୱର୍ଯ୍ୟାଙ୍କ ସମସ୍ତ ସାମଗ୍ରୀ ତେଜପ୍ରତାପଙ୍କ ଶ୍ୱଶୁର ଚନ୍ଦ୍ରିକା ରାୟଙ୍କ ଘରେ ଯେତେବେଳେ ପହଞ୍ଚିଥିଲା ଏହାକୁ ଗ୍ରହଣ କରିପାରିବେ ନାହିଁ ବୋଲି ସେ ସ୍ପଷ୍ଟ ଭାବେ ମନା କରି ଦେଇଥିଲେ । ଚନ୍ଦ୍ରିକା ରାୟ ପୋଲିସକୁ ଖବର ଦେଇ ଏସବୁ ସାମଗ୍ରୀକୁ ଜବତ କରିବା ପାଇଁ ଅନୁରାଧ କରିଥିଲେ । ଏଥିସହିତ ଚନ୍ଦ୍ରିକା ରାୟଙ୍କ ଘରେ ସୁରକ୍ଷା ବ୍ୟବସ୍ଥା ବଡାଇ ଦିଆଯାଇଛି । ତେବେ ଏଭଳି ଜିନିଷପତ୍ର ପଠାଇବାକୁ ନେଇ ଲାଲୁଙ୍କ ପରିବାର ସଫେଇ ଦେଇ କହିଛନ୍ତି ଐଶ୍ୱର୍ଯ୍ୟାଙ୍କ ମା ପୂର୍ଣ୍ଣମା ରାୟଙ୍କ କହିବା ଅନୁସାରେ ସେମାନେ ଏପରି କରିଛନ୍ତି । ଏହି କ୍ରମରେ ତେଜପ୍ରତାପ ଏକ ଚିଠି ବି ଦେଖାଇଛନ୍ତି । ଯେଉଁଥିରେ ପୂର୍ଣ୍ଣମା ରାୟ ମହିଳା ହେଲ୍ପ ଲାଇନ ଜରିଆରେ ଐଶ୍ୱର୍ଯ୍ୟାଙ୍କ ସାମଗ୍ରୀ ରାବଡ଼ି ଦେବୀ ଫେରାଇ ଦିଅନ୍ତୁ ବୋଲି ଦାବି କରିଛନ୍ତି ।
ସୂଚନାଯୋଗ୍ୟ, କିଛି ମାସ ତଳେ ଐଶ୍ୱର୍ଯ୍ୟା ତାଙ୍କ ଶାଶୁ ରାବିଡ଼ ଦେବୀଙ୍କ ସହିତ ତେଜପ୍ରତାପଙ୍କ ଭଉଣୀ ଶିଖା ଉପରେ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଥିଲେ । ଏହି ଘଟଣାକୁ ନେଇ ଐଶ୍ୱର୍ଯ୍ୟା କହିଥିଲେ , ଶିଖା ଭାରତୀ ମୋତେ ରୋଷେଇ ଘରକୁ ଯିବାକୁ ଅନୁମତିି ଦିଅନ୍ତି ନାହାନ୍ତି । ଏମିତିକି ଅନେକ ସମୟରେ ସେ ମତେ ଖାଇବାକୁ ଦିଅନ୍ତି ନାହିଁ । ମୁଁ ଯାହା ଖାଇବା ଖାଇଥାଏ ମୋ ବାପ ଘରୁ ଆସିଥାଏ । । ଅନେକ ସମୟରେ ଶାଶୁ ଓ ନଣନ୍ଦ ମୋତେ ନିର୍ଯାତନା ଦିଅନ୍ତି । ଲାଲୁ ପ୍ରସାଦଙ୍କ ବୋହୂ ଐଶ୍ୱର୍ଯ୍ୟା ୨୦୧୯ ନଭେମ୍ବର ୩ ତାରିଖରେ ପାଟନାସ୍ଥିତ ପାରିବାରିକ ଅଦାଲତରେ ଭରଣାପୋଷଣ ପ୍ରସଙ୍ଗ ନେଇ ଆବେଦନ କରିଥିଲେ । ଏହାପରେ ଡିସେମ୍ବର ୧୭ ତାରିଖ୍ରେ ଏହାର ଶୁଣାଣି ହୋଇଥିଲା । ଏହି ଶୁଣାଣିରେ ସ୍ୱାମୀ ତେଜପ୍ରତାପ ଐଶ୍ୱର୍ଯ୍ୟାଙ୍କୁ ପ୍ରତିମାସରେ ୨୨ ହଜାର ଟଙ୍କା ଦେବେ । ମେବଳ ଏତିକି ନୁହେଁ ଭରଣପୋଷଣ ଦାୟିତ୍ୱ ସହ ଛାଡପତ୍ର ମାମଲା ଲଢିବା ପାଇଁ ବି ପତ୍ନୀଙ୍କୁ ସେ ଅତିରିକ୍ତ ଦୁଇ ଲକ୍ଷ ଟଙ୍କା ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।