(ମହାଭାରତ, ଯୋଡା): ଯୋଡା ଥାନା ଅନ୍ତର୍ଗତ ରଣାଶାଳ ଘାଟିରୁ ପଳାଶପଙ୍ଗା ଅଭିମୁଖେ ଯାଇଥିବା ବିଜୁ ପଟ୍ଟନାୟକ ଏକ୍ସପ୍ରେସ ହାଇୱେ-୨ ଅନ୍ତର୍ଗତ ଯୋଡା ସହରସ୍ଥିତ ଲାଲ ପେଟ୍ରୋଲ ପମ୍ପ ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ଡମ୍ପର ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ଦୂର୍ଘଟଣା ପରେ ଡମ୍ପର ଚାଳକ ଫେରାର ହୋଇଯାଇଛି । ମୃତକ ଜଣକ ସ୍ଥାନୀୟ କୁନ୍ଦୁରୁୁନାଲା ବସ୍ତିର ୫୦ ବର୍ଷିୟା ଲକ୍ଷ୍ମୀ ପାତ୍ର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନରେ ବୃଦ୍ଧା ଜଣକ ପରିବା କିଣି ନିଜ ଘରକୁ ଫେରୁଥିବା ବେଳେ ଡମ୍ପରଟି ତାଙ୍କୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଯୋଡା ଟାଟା ଷ୍ଟିଲ ଚିକିତ୍ସାଳୟକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପୋଲିସ ଘଟଣାସ୍ଥଳରୁ ବୃଦ୍ଧାଙ୍କୁ ଧକ୍କା ଦେଇଥିବା ଡମ୍ପରଟିକୁ ଜବତ କରିଛି । ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ସ୍ଥାନୀୟ ଅଞ୍ଚଳରେ ଉଗ୍ର ପ୍ରଦୂଷଣ ସମେତ ଅନିୟନ୍ତ୍ରିତ ଟ୍ରାଫିକ ସମସ୍ୟା କାରଣରୁ ସାଧାରଣ ଯାତାୟତ ଗୁରୁତର ରୂପେ ପ୍ରଭାବିତ ହେଉଥିବା ବେଳେ ଏଭଳି ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ଲୋକେ ଘରୁ ବାହାରିବାକୁ ନିରାପଦ ମଣୁ ନାହାନ୍ତି ।
previous post
next post