ଲଣ୍ଡନ: କରୋନା ଭୂତାଣୁ ଚିକିତ୍ସା ପାଇଁ ବ୍ରିଟେନ ଏବଂ ଜର୍ମାନୀ ଭ୍ୟାକ୍ସିନ ପ୍ରସ୍ତୁତ କରିଥିବା ଦାବି କରୁଥିବା ବେଳେ ଏହାର ସଫଳତା ଜାଣିବା ଲାଗି ଆଜିଠାରୁ ମଣିଷଙ୍କ ଉପରେ ପରୀକ୍ଷଣ କରାଯିବ । କରୋନା ଭ୍ୟାକ୍ସିନକୁ ନେଇ ସାରା ବିଶ୍ୱରେ ୧୫୦ରୁ ଅଧିକ ଗବେଷଣା •ଲିଛି । ତେବେ ଜର୍ମାନୀ ଏବଂ ବ୍ରିଟେନ ଦୁନିଆର ସେହି ୫ ଦେଶରେ ସାମିଲ ହୋଇଛନ୍ତି, ଯେଉଁମାନଙ୍କୁ କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ମିଳିଛି ।
ସୂଚନା ଅନୁସାରେ, ବ୍ରିଟେନର ଅକ୍ସଫୋର୍ଡ ବିଶ୍ୱ୍ବିଦ୍ୟାଳୟ ୫୧୦ ଏବଂ ଜର୍ମାନୀର ଫେଡେରାଲ ଇନଷ୍ଟିଚ୍ୟୁଟ ୨୦୦ ଲୋକଙ୍କ ଉପରେ କରୋନା ଭ୍ୟାକ୍ସିନର ପରୀକ୍ଷଣ କରିବ । ଯେଉଁ ଲୋକମାନଙ୍କ ଉପରେ ଏହାର ପରୀକ୍ଷଣ କରାଯିବ ସେମାନଙ୍କୁ ୧୮ରୁ ୫୫ ବର୍ଷର ଶ୍ରେଣୀରେ ରଖାଯାଇଛି । ପରୀକ୍ଷା ସମୟରେ ବିଭିନ୍ନ ଲୋକଙ୍କୁ ବିଭିନ୍ନ ପ୍ରକାରର ଟିକା ଦିଆଯିବ ଏବଂ ଏହା ଭୂତାଣୁ ବିଲୋପ କରିବାରେ କେତେ ପ୍ରଭାବଶାଳୀ ତାହା ନିରୀକ୍ଷଣ କରାଯିବ ।
ଏହାର ପାଶ୍ୱର୍ ପ୍ରତିକ୍ରିୟାକୁ ପୃଥକ ଭାବରେ ନିରୀକ୍ଷଣ କରାଯିବ । ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକକ୍ କହିଛନ୍ତି ଯେ, କରୋନା ଭୂତାଣୁ ମୁକାବିଲା ପାଇଁ ଏହି ଟିକା ହେଉଛି ଏକମାତ୍ର ପ୍ରଭାବଶାଳୀ ଉପାୟ । ଟିକା ପରୀକ୍ଷା ପାଇଁ ଲଣ୍ଡନର ଇମ୍ପେରିଆଲ୍ କଲେଜକୁ ୨୫ ନିୟୁତ ୟୁରୋ ପ୍ରଦାନ କରାଯାଉଛି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷଣା ନିର୍ଦ୍ଦେଶକ ପ୍ରଫେସର ସାରା ଗିଲବର୍ଟ ଆକଳନ କରିଛନ୍ତି ଯେ, ଏହି ଟିକା ପ୍ରାୟ ୮୦% ସଫଳ ହେବ । ଟିକା ଖୋଜିବା ପାଇଁ ବ୍ରିଟେନ ସବୁକିଛି କରିବାକୁ ପ୍ରସ୍ତୁତ । କିନ୍ତୁ ଏକ ରିପୋର୍ଟ ଅନୁସାରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ବ୍ରିଟେନର ଭାଇରୋଲୋଜିଷ୍ଟମାନେ ଏହାକୁ ନେଇ ଚିନ୍ତିତ ଅଛନ୍ତି । ବୈଜ୍ଞାନିକମାନେ ଭୟ କରୁଛନ୍ତି ଯେ ଯଦି ଏଥିରେ କିଛି ଭୁଲ ହୁଏ, ତେବେ ହଜାର ହଜାର ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇପାରନ୍ତି । ଲ୍ୟାବର ସୁରକ୍ଷାକୁ ନେଇ ଅନେକ ପ୍ରକାର ପ୍ରଶ୍ନ ଉଠିଛି । ବ୍ରିଟେନର ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ସାର୍ ପାଟ୍ରିକ୍ ୱାଲାନ୍ସ ଏ ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି । ଏଥି ସହିତ ଜର୍ମାନୀର ବାୟୋଟେକ୍ କମ୍ପାନୀ ବାୟୋ ଏନ୍ ଟେକ୍ କୋଭିଡ -୧୯ର ଟିକା ପ୍ରସ୍ତୁତ କରିଛି । ଆମେରିକାର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ପିଫାଇଜର ସହିତ ବାୟୋ ଏନ୍ ଟେକ୍ ମିଶି ଏହି ଟିକା ତିଆରି କରିଛି, ଯାହାର ନାମ ବିଏନଟି ୧୬୨ ରଖାଯାଇଛି । ଜର୍ମାନୀ ପରେ ଏହା ଆମେରିକାରେ ପରୀକ୍ଷା କରାଯିବାର ସମ୍ଭାବନା ରହିଛି ।
