(ମହାଭାରତ, ଯାଜପୁର): ଗାଡି ଚାଳକ ନିଜେ ଗାଡି ଲୁଟ୍ କରି ଏହାକୁ ଚୋରି ବୋଲି ଦର୍ଶାଉଥିବା ବେଳେ ଏଭଳିର ଘଟଣାର ପର୍ଦ୍ଦାଫାସ କରିଛି ଯାଜପୁର ପୋଲିସ । ଗତ ୫ ତାରିଖରେ ୫୩ ନମ୍ବର ଜାତୀୟ ରାଜପଥ ଚଢେଇଧରା ଛକ ନିକଟରେ ୬ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୨ଟି ହାଇୱା ଗାଡିର ଲୁଟ କରିଥିଲେ । ହାଇୱା ଚାଳକ ଦ୍ୱୟ ନିଜ ମାଲିକଙ୍କୁ ଏନେଇ ଖବର ଦେଇଥିଲେ । ୬ ତାରିଖ ଦିନ ଗାଡି ମାଲିକ ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଗାଡି ଚାଳକଙ୍କୁ ଏହି ଘଟଣା ସମ୍ପର୍କରେ ପଚାରିବାରୁ ସେମାନଙ୍କ ବୟାନକୁ ନେଇ ପୋଲିସ ସନ୍ଦେହ କରିଥିଲା ।
ଏହାପରେ ଉଭୟ ଚାଳକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ସେମାନେ ଗାଡି ଅନ୍ୟକୁ ବିକ୍ରି କରିଦେଇଥିବା ଏବଂ ଘଟଣାକୁ ଚୋରି ରୂପ ଦେବା ଲାଗି ଏଭଳି ଯୋଜନା ପ୍ରସ୍ତୁତ କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିଲେ । ପୋଲିସ ଏହି ଘଟଣାକୁ ନେଇ ତାଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ନଗଦ ୧ ଲକ୍ଷ ଟଙ୍କା ଜବତ କରାଯାଇଛି । ଏହା ବ୍ୟତୀତ ସେମାନେ ବିକ୍ରି କରିଦେଇଥିବା ଦୁଇଟି ହାଇୱା ମଧ୍ୟରୁ ଗୋଟିଏ ଜବତ କରାଯିବା ସହ ଅନ୍ୟଟିର ଡାଲା ଖୋଜି ବାହାର କରିଛି ।
previous post
next post