(ଲଣ୍ଡନ): ଜାମାଇକାର ଟୋନୀ-ଆନ ସିଂହ ୬୯ତମ ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି । ଶନିବାର ଲଣ୍ଡନର ଏକ୍ସସେଲ ଠାରେ ଅନୁଷ୍ଠିତ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ସେ ୧୨୦ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟୀ ହୋଇଛନ୍ତି । ପୂର୍ବତନ ମିସ ୱାର୍ଲଡ ମେକ୍ସିକୋର ଭାନେସା ପୋନ୍ସ ତାଙ୍କୁ ମୁକୁଟ ପିନ୍ଧାଇଥିଲେ । ଫ୍ରାନ୍ସର ଓଫେଲି ମେଜିନୋ ଓ ଭାରତର ସୁମନ ରାଓ ଏହି ପ୍ରତିଯୋଗିତାରେ ପ୍ରଥମ ଓ ଦ୍ୱିତୀୟ ରନର୍ସ ଅପ୍ ହୋଇଛନ୍ତି । ରାଜସ୍ଥାନର ୨୦ ବର୍ଷିୟ ସୁମନ ରାଓ ଗତ ଜୁନ ମାସରେ ଅନୁଷ୍ଠିତ ମିସ ଇଣ୍ଡିଆ ପ୍ରତିଯୋଗିତାରେ ବିଜୟିନୀ ହୋଇଥିଲେ । ଭବିଷ୍ୟତରେ ଜଣେ ଅଭିନେତ୍ରୀ ହେବାକୁ ଆଶା ରଖିଥିବା ସୁମନ ବର୍ତ୍ତମାନ ମଡେଲିଂ କରିବା ସହ ମୁମ୍ବାଇ ବିଶ୍ୱ ବିଦ୍ୟାଳୟରେ ଆକାଉଣ୍ଟାସିରେ କ୍ୟାରିଅର କରୁଛନ୍ତି ।
ସେହିପରି ଚଳିତ ବର୍ଷ ମିସ ୱାର୍ଲଡ ମୁକୁଟ ପିନ୍ଧିଥିବା ୨୩ ବର୍ଷିୟା ଟୋନୀ ବର୍ତ୍ତମାନ ଫ୍ଲୋରିଡା ଷ୍ଟେଟ ୟୁନିଭରସିଟିରେ ଡାକ୍ତରୀ ପଢୁଛନ୍ତି । ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିବାରେ ସେ ଜାମାଇକାର ଚତୁର୍ଥ ମହିଳା । ୧୯୯୩ରେ ଜାମାଇକାର ଲିସା ହାନ୍ନା ଶେଷଥର ପାଇଁ ଏହି ମୁକୁଟ ପିନ୍ଧିଥିଲେ ।
previous post