ଶପଥ ନେଲେ ଓଡ଼ିଶାର ୩ ରାଜ୍ୟସଭା ସାଂସଦ । ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ମନମୋହନ ସାମଲ, ଦିଲ୍ଲୀପ ରାୟ ଓ ଡକ୍ଟର ସଂତୃପ୍ତ ମିଶ୍ର । ବିଜେପିରୁ ମନମୋହନ ସାମଲ ଏବଂ ସୁଜିତ କୁମାର ନିର୍ବାଚନ ଜିତିଥିଲେ । ବିଜେଡିରୁ ସଂତୃପ୍ତ ମିଶ୍ର ଜିତିଥିଲେ । ସ୍ୱାଧୀନ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଦିଲ୍ଲୀପ ରାୟ । ତେବେ ସୁଜିତ କୁମାର ଆସାମ ନିର୍ବାଚନରୁ ଫେରିଲେ ଶପଥ ନେବେ । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍ ସଂସଦ ଭବନରେ ଓଡ଼ିଶାରୁ ନବନିର୍ବାଚିତ ୩ ସାଂସଦଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସବୁଠାରୁ ଖୁସିର କଥା ହେଉଛି ଓଡ଼ିଶାର ୩ ସାଂସଦ ମାନେ ଓଡ଼ିଆରେ ଶପଥ ନେଇଛନ୍ତି ।

ମନମୋହନ ସାମଲଙ୍କର ରାଜ୍ୟସଭାରେ ଏହା ହେଉଛି ଦ୍ୱିତୀୟ ପାଳି । ସେ ପ୍ରଥମ ପାଳିରେ ୨୦୦୦ ରୁ ୨୦୦୪ ମସିହା ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଥିଲେ । ଡକ୍ଟର ସଂତୃପ୍ତ ମିଶ୍ର ପ୍ରଥମ ଥର ପାଇଁ ବିଜେଡି ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ସେହିପରି ଦିଲ୍ଲୀପ ରାୟଙ୍କର ରାଜ୍ୟସଭାରେ ଏହା ତୃତୀୟ ପାଳି । ୧୮ ବର୍ଷ ପରେ ପୁଣି ରାଜ୍ୟସଭାକୁ ସେ ଫେରିଛନ୍ତି । ପୂର୍ବରୁ ଗୋଟିଏ ଥରେ ଜନତା ଦଳ ଟିକେଟରେ ରାଜ୍ୟସଭାକୁ ଯାଇଥିବା ବେଳେ ଥରେ ସ୍ୱାଧୀନ ଭାବେ ନିର୍ବାଚିତ ହୋଇଥିଲେ । ଏଥର ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ।

