(କୋଲକାତା): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳଙ୍କୁ ଝଟକା ଦେଇଛନ୍ତି । ରାଜଧାନୀ ଦିଲ୍ଲୀରେ ଜାନୁଆରୀ ୧୩ରେ ଆୟୋଜିତ ବିରୋଧୀ ଦଳ ବୈଠକରେ ସେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି । ମମତାଙ୍କ ମତରେ କଂଗ୍ରେସ ଓ ବାମଦଳ ପଶ୍ଚିମବଙ୍ଗରେ ନୀଚ ରାଜନୀତି କରୁଛନ୍ତି । ଏଣୁ ସେ ଏକାକୀ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଓ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର (ଏନଆରସି) ବିରୋଧରେ ଲଢିବାକୁ ସ୍ଥିର କରିଥିବା କହିଛନ୍ତି । ଉଲ୍ଲେଖଯୋଗ୍ୟ, ବୁଧବାର ଦିନ ବାମଦଳ ଓ କଂଗ୍ରେସକୁ ସମାଲୋଚନା କରି କହିଥିଲେ ଯେ, ଯେଉଁମାନଙ୍କର ରାଜ୍ୟରେ କୌଣସି ରାଜନୈତିକ ଅସ୍ଥିତ୍ୱ ନାହିଁ ସେମାନେ ଧର୍ମଘଟର ରାଜନୀତି କରି ରାଜ୍ୟର ଅର୍ଥ ବ୍ୟବସ୍ଥାକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି । ସେ ଆହୁରି କହିଥିଲେ ଯେ, କେନ୍ଦ୍ର ସରକାର ଆର୍ଥିକ ନୀତି, ସିଏଏ ଏବଂ ପ୍ରସ୍ତାବିତ ଏନଆରସି ବିରୋଧରେ ଡକାଯାଇଥିବା ବନ୍ଦର ଉଦ୍ଦେଶ୍ୟକୁ ସମର୍ଥନ କରୁଛନ୍ତି କିନ୍ତୁ ତାଙ୍କ ଦଳ ଓ ସରକାର ଯେକୌଣସି ପ୍ରକାରର ବନ୍ଦକୁ ବିରୋଧ କରୁଛନ୍ତି । ସୂଚନାଯୋଗ୍ୟ, ମମତା ସିଏଏ ଓ ଏନଆରସିକୁ ଆରମ୍ଭରୁ ବିରୋଧ କରୁଥିବା ବେଳେ ଏହାକୁ ନେଇ କିଛି ରାଲି ପୂର୍ବରୁ ଆୟୋଜନ କରି ସାରିଛନ୍ତି । ଏହାକୁ ନେଇ ସେ ସବୁବେଳେ ମୋଦି ସରକାର ବିଶେଷ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି ।
previous post
next post
