ଓଡିଶା

ଗର୍ଭବତୀଙ୍କୁ ଖଟିଆରେ ୩୦ କିମି ବୋହିଲେ ଡାକ୍ତର

(ମହାଭାରତ, ମାଲକାନଗିରି): ଏଥର ରାସ୍ତା ଖରାପ ପାଇଁ ନୁହେଁ ବରଂ ଗାଁରେ ପୁରୁଷମାନେ ନଥିବା ବେଳେ ଯୁବ ଡାକ୍ତରମାନଙ୍କ ଏକ ଦଳ ଏଠାରେ ସାହସିକତାର କାର୍ଯ୍ୟ କରିଛନ୍ତି । ମାଲକାନଗିରି ଜିଲ୍ଲାର ମଫସଲ ଗାଁ ଗୋଡିଗଣ୍ଡିରେ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ଗର୍ଭବତୀ ରୀନା ମାଡିଙ୍କ ପାଇଁ ଡାକ୍ତରମାନଙ୍କ ଏକ ଟିମ୍ ଦେବଦୂତ ସାଜିଛନ୍ତି । ଗାଁରେ କୌଣସି ପୁରୁଷ ନଥିବା ବେଳେ ସାହି ପଡିଶା ମହିଳାମାନେ ଦୀର୍ଘ ୩୦ କିମି ପାହାଡିଆ ରାସ୍ତା ପାର କରି ତାଙ୍କୁ ମେଡିକାଲ ନେବାକୁ ସାହସ ଜୁଟାଇ ପାରୁନଥିବା ବେଳେ ଡାକ୍ତର ଓ ତାଙ୍କ କର୍ମଚାରୀମାନେ ସାହାସ ଦେଖାଇ ସ୍ଥାନୀୟ ଲୋକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ସୂଚନା ଅନୁସାରେ, ଗତ ରବିବାର ପଲ୍ସ ପୋଲିଓ ବୁନ୍ଦା ଅଭିଯାନରେ କାଲିମେଳା ମେଡିକାଲର ଏକ ଡାକ୍ତରୀ ଦଳ ଗୋଡିହାଣ୍ଡି ଅଞ୍ଚଳ ଯାଇଥିଲେ । ଏହି ସମୟରେ ଗର୍ଭବତୀ ଜଣକ ଘରେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଡାକ୍ତରୀ ଦଳ ଖବର ପାଇ ସେଠାରେ ପହଞ୍ଚିଥିଲେ । ସେହି ସମୟରେ ଗାଁର ପୁରୁଷମାନେ ନିକଟସ୍ଥ ଗାଁକୁ ଏକ ପର୍ବରେ ସାମିଲ ହେବାକୁ ଯାଇଥିବାବେଳେ ଗର୍ଭବତୀଙ୍କ ଏହି ଯନ୍ତ୍ରଣା ହୋଇଥିଲା । ଏହା ଅସହ୍ୟ ହେବାରୁ ସେଠାରେ ଉପସ୍ଥିତ ଥିବା ଡାକ୍ତର ରାଧେଶ୍ୟାମ ଜେନା ନିଜ କର୍ମଚାରୀଙ୍କ ସହାୟତାରେ ମହିଳାଙ୍କ ପ୍ରସବ କରାଇଥିଲେ । ଗୋଟିଏ ସନ୍ତାନ ଜନ୍ମ ଦେବା ପରେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ତାଙ୍କ ପେଟରେ ଆଉ ଏକ ଛୁଆ ଥିବା ଡାକ୍ତର ଜାଣି ପାରି ତାଙ୍କୁ କାଲିମେଳା ମେଡିକାଲ ନେବାକୁ କହିଥିଲେ । କିନ୍ତୁ ଗାଁରେ କୌଣସି ପୁରୁଷ ଲୋକ ନଥିବାରୁ ଡାକ୍ତରୀ ଦଳ ବିଳମ୍ବ ନ କରି ଏକ ଖଟିଆରେ ମହିଳାଙ୍କୁ ବୋହି ନେବା ପାଇଁ ସ୍ଥିର କରିଥିଲେ । ପରେ ଡାକ୍ତର ଜେନା ଓ ତାଙ୍କ କର୍ମଚାରୀମାନେ ଉକ୍ତ ଗର୍ଭବତୀଙ୍କୁ ଖଟିଆରେ ବୋହି ଦିନ ୧୨ଟାରୁ ପାହାଡିଆ ରାସ୍ତାରେ ଯାତ୍ରା ଆରମ୍ଭ କରି ରାତି ୮ଟା ବେଳେ କାଲିମେଳା ଡାକ୍ତରଖାନାରେ ପହଞ୍ଚିଥିଲେ । ଦୀର୍ଘ ୩୦ କିମି ପାହାଡିଆ ରାସ୍ତା ଅତିକ୍ରମ କରି ମେଡିକାଲରେ ପହଞ୍ଚିବା ପରେ ସେଠାରେ ମହିଳା ପ୍ରସବ ବେଳେ ଏକ ମଲା ଶିଶୁକୁ ଜନ୍ମ ଦେଇଥିଲେ । କିନ୍ତୁ ଉକ୍ତ ମହିଳା ଏବେ ସୁସ୍ଥ ଥିବା ଜଣାପଡିଛି । ଡାକ୍ତରୀ ଦଳର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ।

Related posts

ବାତ୍ୟା ପରବର୍ତ୍ତୀ ମୁକାବିଲା ନେଇ ୱାରରୁମ୍ ପ୍ରସ୍ତୁତ: ଶକ୍ତି ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର

mahabharatanews

ଶ୍ରୀମନ୍ଦିରରେ ୧ ଘଣ୍ଟାରୁ ଅଧିକ ସମୟ ଧରି ଦର୍ଶନ ବନ୍ଦ

mahabharatanews

କରୋନା ଟୀକା ନେଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

mahabharatanews