ଓଡିଶା

ରଘୁନାଥପୁର ବ୍ଲକର ୬୩ ବିଦ୍ୟାଳୟ ନିଶ୍ଚିନ୍ତକୋଇଲି ବ୍ଲକରେ ମିଶିଲା

ନିଶ୍ଚିନ୍ତକୋଇଲି: କଟକ ଓ ଜଗତସିଂହପୁର ଜିଲ୍ଳାର ଦୈତ ଶାସନରେ ଦୀର୍ଘ ୨୬ ବର୍ଷ ଧରି ଶିକ୍ଷା ବିଭାଗରେ ଚାଲିଥିବା ଦୈତ ଶାସନର ଅବଶେଷରେ ଅବସାନ ଘଟିଛି । ରଘୁନାଥପୁର ବ୍ଲକ ଅଧିନରେ ଥିବା ନିଶ୍ଚିନ୍ତକୋଇଲି ବ୍ଲକର ୭ ଟି ଗ୍ରାମପଂଚାୟତର ଶିକ୍ଷା ବ୍ୟବସ୍ଥା ନିଶ୍ଚିନ୍ତକୋଇଲି ବ୍ଲକ ଶିକ୍ଷାଧିକାରୀ ଓ କଟକ ଜିଲ୍ଲା ଶିକ୍ଷାଧିକାରୀ ଅଧିନକୁ ଆସିଛି । ନିଶ୍ଚିନ୍ତକୋଇଲି ବ୍ଲକର ମହମ୍ମଦପୁର, ମଣିଜଙ୍ଗ, ଉତ୍ତରକୂଳ, ବାବୁଜଙ୍ଗ, ସିର୍ଲୋ, ଇଶାଣୀବରହମପୁର, ମାଣପୁର ଏହି ସାତଟି ପଂଚାୟତର ବିଦ୍ୟାଳୟ ଗୁଡିକ କଟକ ଜିଲ୍ଲାରେ ଅବସ୍ଥିତ ହୋଇଥିଲେ ମଧ୍ୟ ଏହାର ଶାସନ ଦାୟିତ୍ୱ ଜଗତ୍ସିଂହପୁର ଜିଲ୍ଲା ଶିକ୍ଷାବିଭାଗ ହାତରେ ରହିଥିଲା । ଫଳରେ ଦୈତ ଶାସନ ଯୋଗୁଁ ଏହି ପଂଚାୟତର ବିଦ୍ୟାଳୟ ଗୁଡିକୁ ଅଣଦେଖା ଓ ଚରମ ଅବହେଳା ପ୍ରଦର୍ଶନ କରାଯାଉଥିଲା । ଯାହାଦ୍ୱାରାକି ଅବହେଳିତ ଅବସ୍ଥାରେ ପଡି ରହିଥିବା ଏହି ବିଦ୍ୟାଳୟ ଗୁଡ଼ିକରେ ଗୁଣାତ୍ମକ ଶିକ୍ଷାର ସଠିକ୍ ବିକାଶ ହୋଇପାରିନଥିଲା । ଏପରିଏହି ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଏକରକମ ଭୁଶୁଡ଼ିପଡ଼ିଥିଲା । ଏହି ବିଦ୍ୟାଳୟ ଗୁଡିକୁ କଟକ ଶିକ୍ଷାଜିଲ୍ଲା ତଥା ନିଶ୍ଚିନ୍ତକୋଇଲି ବ୍ଲକ ଶିକ୍ଷାଧିକାରୀଙ୍କ ଅଧିନକୁ ଆଣିବା ପାଇଁ ଦୀର୍ଘ ବର୍ଷ ହେବ ଦାବି ହୋଇଆସୁଥିଲା । ଚଳିତ ୨୦୧୯ – ୨୦ ଶିକ୍ଷା ବର୍ଷ ଆରମ୍ଭ ପୂର୍ବରୁ ଆଜି ଏହାକୁ ଜଗତସିଂହପୁର ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରତିଭା ମଂଜରୀ ଦାସ କଟକ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରାଙ୍କୁ ହସ୍ତାନ୍ତର କରିଛନ୍ତି । ହସ୍ତାନ୍ତର କରିବା ପୂର୍ବରୁ ଜଗତ୍ସିଂହପୁର ଶିକ୍ଷା ଜିଲ୍ଲା କାର୍ଯ୍ୟାଳୟରେ ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷା ଅଧିକାରୀ ମନୋରଂଜନ ବାରିକ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଅକ୍ଷୟ କୁମାର ଷଢଙ୍ଗୀ, ସାଲେପୁର ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରେମଲତା ନାୟକ, କଟକ ସଦର ମଣ୍ଡଳ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ରାଉତଙ୍କ ମଧ୍ୟରେ ଏକ ଆଲୋଚନା କରାଯାଇ ସମସ୍ତ ବିଦ୍ୟାଳୟର ତାଲିକା ଏବଂ ଏଥିରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କର ତାଲିକା ଓ ସେମାନଙ୍କର ଚାକିରୀ ପୁସ୍ତିକା କଟକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅର୍ପଣ କରାଯାଇଛି । ଏହି ତାଲିକା ମଧ୍ୟରେ ନିଶ୍ଚିନ୍ତକୋଇଲି ବ୍ଲକ ଅଧିନରେ ଥିବା ୭ଟି ପଂଚାୟତରେ ୩୩ ଗୋଟି ସରକାରୀ ପ୍ରାଥମିକ ବିଦ୍ୟାଳୟ, ୧୧ ଗୋଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ୪ ଗୋଟି ଉଚ୍ଚ ବିଦ୍ୟାଳୟ ରହିଥିବା ବେଳେ ସରକାରୀ ଅନୁଦାନ ପ୍ରାପ୍ତ, ବ୍ଲକ ଗ୍ରାମ, ବେସରକାରୀ ସ୍କୁଲ, ମାଦ୍ରାସା ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମିଶି ମୋଟ ୧୫ ଟି ଏହିପରି ଭାବେ ମୋଟ ୬୩ଟି ବିଦ୍ୟାଳୟ ପରିଚାଳନା ଭାର ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି । ଫଳରେ ଏହି ୭ ଗୋଟି ପଂଚାୟତର ଶିକ୍ଷା ବ୍ୟବସ୍ଥା ଦୈତ ଜିଲ୍ଲା ଶାସନ କବଳରୁ ମୁକ୍ତି ହୋଇଛନ୍ତି । ଆସନ୍ତା ଶିକ୍ଷା ବର୍ଷରୁ ଏହି ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ କଟକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଧିନରେ କାର୍ଯ୍ୟ କରିବେ ଏବଂ ସ୍କୁଲର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ କଟକ ଜିଲ୍ଲା ପକ୍ଷରୁ କରାଯିବ ବୋଲି ସ୍ପଷ୍ଟ ହୋଇଛି ।

Related posts

ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲା, ରାଜନୈତିକ ସମ୍ପୃକ୍ତିରୁ ତଦନ୍ତ ଦିଗହରା: ବିଜେପି ମହିଳା ମୋର୍ଚ୍ଚା

mahabharatanews

ବଜ୍ରକ୍ଷଘାତରେ ମୃତ୍ୟୁ ହୋଇଥିବା ପରିବାରକୁ ସମବେଦନା ଜଣାଇଲେ ମନ୍ତ୍ରୀ

mahabharatanews

ନଭେମ୍ବର ୨୩ରୁ ମାଟ୍ରିକ ସମ୍ମେଟିଭ ପରୀକ୍ଷା

mahabharatanews