ଓଡିଶା

ମହାମାରୀ କରୋନା ଯୋଗୁଁ ଫିକା ପଡିଲା ରଜ

(ଜୟନ୍ତ ସେଠି/ ଗୋପ): ବିଶ୍ବ ମହାମାରୀ କରୋନା ଭୂତାଣୁ ସମଗ୍ର ଦେଶରେ କାୟା ବିସ୍ତାର କରିଥିଲାବେଳେ ରଜପର୍ବ ପଡ଼ିଲା ଫିକା । କରୋନା ପ୍ରଭାବରେ କୋଉଠି ସିଲ୍ କରାଗଲାଣି ତ କୋଉଠି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଗଲାଣି ଏନେଇ ରଜପର୍ବର ଆନନ୍ଦ ଉଲ୍ଲାସ ଫିକା ପଡିଲା।

ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଜୀବନର ଏକ ଅଭିନ୍ନ ଅଙ୍ଗ ହେଉଛି ପୂରପଲ୍ଲୀରେ ପାଳନ କରାଯାଉଥିବା ପର୍ବପର୍ବାଣୀ। ସେଥିମଧ୍ୟରୁ ରଜପର୍ବ ପାଳନର ପରମ୍ପରା ଅନନ୍ୟ। କୃଷି ଓଡ଼ିଶାବାସୀଙ୍କ ମୁଖ୍ୟ ଜିବିକା ହୋଇଥିବାରୁ ମାଟି ମା’କୁ ବିଶ୍ରାମ ଦେବା ଏହି ପର୍ବ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ସାଧାରଣତଃ କୃଷକମାନେ ରଜସଂକ୍ରାନ୍ତି ପୂର୍ବରୁ କ୍ଷେତରେ ଧାନ ବୁଣି ବର୍ଷାର ଆଗମନକୁ ଅପେକ୍ଷା କରିଥାନ୍ତି। ଆଷାଢର ପ୍ରଥମ ବର୍ଷାରେ ପୃଥିବୀ ଶୀତଳ ହେବା ସହ ପ୍ରଜନନକ୍ଷମ ହୋଇଥାଏ। ପୃଥିବୀମାତାର ଏହି ଅବସ୍ଥାକୁ ରଜସ୍ୱଳା ନାରୀ ସହ ତୁଳନା କରି ପୂର୍ଣ୍ଣବିଶ୍ରାମ ଦିଆଯାଏ। ଏଥିସହିତ କୃଷି କର୍ମରୁ ଅବ୍ୟାହତି ନେଇ ଆନନ୍ଦ ଉଲ୍ଲାସରେ ମାତି ଯାଇଥାନ୍ତି କୃଷକ ସମାଜ। ବିଭିନ୍ନ ପ୍ରକାରର ପିଠାପଣାରେ ମହକିଯାଏ ଓଡ଼ିଶାର ପୂରପଲ୍ଲୀ। ରଜପାନ ଖିଆ, ଦୋଳିରେ ଝୁଲିବା, ଲୁଡୁ, ତାସ୍ ଖେଳ ଓ ବନ୍ଧୁଶଙ୍ଖୁଳା ମଧ୍ୟରେ ଉତ୍ସବମୁଖର ହୋଇଉଠେ ପରିବେଶ। ପହଲି ବର୍ଷାର ସ୍ପର୍ଶରେ ଝୁମିଯାଏ, ପୁଲକିତ ପଲ୍ଲବିତ ହୁଏ ପୃଥିବୀ। ଏହା ସହ ତାଳ ଦେଇ ବୟସ ନିର୍ବିଶେଷରେ ସମସ୍ତେ ମାତିଯାନ୍ତି ହର୍ଷୋଲ୍ଲାସରେ। ଜ୍ୟେଷ୍ଠମାସର ଶେଷ ଦିନ, ଆଷାଢର ପ୍ରଥମ ଦୁଇ ଦିନଧରି ଏହାକୁ ପାଳନ କରାଯାଇଥାଏ। ଏହି ସମୟରେ ପୃଥିବୀମାତାକୁ ଆଘାତ ନ ଦେବା ପାଇଁ କୁମାରୀମାନେ ଖାଲି ପାଦରେ ଚାଲନ୍ତି ନାହିଁ। କଦଳୀ ପାଟୁକା ପାଦରେ ବାନ୍ଧି ଚାଲିଥାନ୍ତି। ଚତୁର୍ଥ ଦିନ ବସୁମତୀ ସ୍ନାନ ପାଳିତ ହୋଇଥାଏ। ସେ ଦିନ ଘରେ ଘରେ ମା’ ଧରିତ୍ରୀଙ୍କର ପୂଜା କରାଯାଇଥାଏ। ଆଧୁନିକତାର ସ୍ପର୍ଶରେ ପୁରୁଣା ସମୟର ରଜ ଆଜି ନାହିଁ ସତ; କିନ୍ତୁ ଯୁବପିଢିଙ୍କ ପାଇଁ ଆଜି ମଧ୍ୟ ଏହାର ପ୍ରାସଙ୍ଗିକତା ରହିଛି।

Related posts

କେନ୍ଦ୍ରୀୟ ପ୍ରକଳ୍ପକୁ ନିଜ ନାମ ଦେବାରେ ଓସ୍ତାଦ ନବୀନ ସରକାର

mahabharatanews

ଗୋ ଧନ ଚିକିତ୍ସା ଓ ଟୀକାକରଣ ଶିବିର ଆୟୋଜିତ

mahabharatanews

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଏନଡିଆରଏଫର ସଚେତନତା କାର୍ଯ୍ୟକ୍ରମ

mahabharatanews