ଭୁବନେଶ୍ୱର/ଶିଳାସ୍ମିତା ରାୟ: ସୋମବାର ଦିନ ପୁରୀ ମନ୍ଦିର, ଲିଙ୍ଗରାଜ ମନ୍ଦିର ଓ ଯାଜପୁରର ବାରେଣୀ ପୀଠ ହଜାର ହଜାର ଦୀପ ଆଲୁଅରେ ଝଲସୁଥିଲା । ଅବସର ଥିଲା ପୁରୀ ଓ ଯାଜପୁରରେ ମେଡିକାଲ ଓ ମେଡିକାଲ କଲେଜ ସ୍ଥାପନ ତଥା ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଅଧ୍ୟାଦେଶକୁ କ୍ୟାବିିନେଟରେ ମଞ୍ଜୁରୀ ମିଳିବା । ଏହି ମଞ୍ଜୁରୀ ମିଳିବା ଅବ୍ୟାବହିତ ପୂର୍ବରୁ ଏହି ସବୁ ସ୍ଥାନକୁ ପରିଷ୍କାର କରାଯାଇ ଦୀପରେ ସଜ୍ଜା ଯାଇଥିଲା ସ୍ଥାନୀୟ ପ୍ରଶାସନ ଓ ବିଧାୟକଙ୍କ ନେତୃତ୍ୱରେ । ମଞ୍ଜୁରୀ ପରେ ତିନୋଟି ସ୍ଥାନର ବାସିନ୍ଦାଙ୍କ ମଧ୍ୟରେ ଦେଖା ଦେଇଥିଲା ଅହେତୁକ ଆନନ୍ଦ । ଶ୍ରେୟ ଦିଆଯାଇଥିଲା ମୁଖ୍ୟମନ୍ତ୍ରୀଙ୍କୁ, ଯାହାକୁ ନେଇ ସାମ୍ବାଦିକ ମହଲରେ ଚର୍ଚ୍ଚା ଜୋର ଧରିିଛି । କାରଣ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଥିବା ହସ୍ପିଟାଲ ପ୍ରକଳ୍ପକୁ ବହୁ ପୂର୍ବରୁ କେନ୍ଦ୍ର ପକ୍ଷରୁ ମଞ୍ଜୁରୀ ଦିଆଯିବା ସହ ଆର୍ଥିକ ସହାୟତା ମଧ୍ୟ ଦିଆଯାଇ ସାରିଛି । କିନ୍ତୁ ଏହାକୁ କାର୍ଯ୍ୟକାରୀ ନକରି ଏବେ ଏହାକୁ ନିଜ ନାଁରେ କରି ମୁଖ୍ୟମନ୍ତ୍ରୀ ସମସ୍ତ ଶ୍ରେୟ ନିଜେ ନେଇ ହିରୋ ସାଜୁଛନ୍ତି ।

୨୦୧୫ ମସିହାରେ କେନ୍ଦ୍ର ସରକାର ପୁରୀ, କୋରାପୁଟ, ବାଲେଶ୍ୱର, ମୟୂରଭଞ୍ଜ, ବଲାଙ୍ଗୀର ଜିଲ୍ଲା ମେଡିକାଲର ଉନ୍ନତିକରଣ ସହ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଥିଲେ । ଏଥିନେଇ ୯୪୫ କୋଟି ଟଙ୍କା ବଜେଟ ପ୍ରସ୍ତୁତ ହୋଇଥିଲା, ଯେଉଁଥିରୁ କେନ୍ଦ୍ରର ୬୦ ପ୍ରତିଶତ ଆଂଶଧନ ବାବଦକୁ ୫୬୭ କୋଟି ଟଙ୍କା ରାଜ୍ୟକୁ ଦିଆଯାଇଛିି । ସେହିପରି ୨୦୧୮ରେ ଯାଜପୁରରେ ୧୦୦ ସିଟ ବିଶିଷ୍ଟ ମେଡିକାଲ କଲେଜ ଓ ହସ୍ପିଟାଲ ଉନ୍ନତିକରଣ ପାଇଁ ୨୫୦ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଥିଲେ କେନ୍ଦ୍ର ସରକାର । ଏବାବଦକୁ ରାଜ୍ୟକୁ ୫୦ କୋଟି ଅନୁଦାନ ମିଳିଥିଲା । କିନ୍ତୁ ରାଜ୍ୟ ସରକାର ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାରେ ସଫଳ ହୋଇ ନାହାନ୍ତି । କିନ୍ତୁ ବର୍ତ୍ତମାନ ବିଭିନ୍ନ ଦିଗରୁ ଲୋକଙ୍କ ଆକ୍ରୋଶର ସମ୍ମୁଖୀନ ହେଉଥିବାରୁ ଲୋକଙ୍କୁ ଭୁଆଁ ବୁଲାଇବାକୁ ଏହି ଦୁଇ ହସ୍ପିଟାଲର ଉନ୍ନତିକରଣ ପାଇଁ ମଞ୍ଜୁରୀ ପ୍ରଦାନ କରି ବାହାବା ନେବାକୁ ଚେଷ୍ଟା କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

କରୋନା ସଂକ୍ରମଣ ପରଠାରୁ ଦୀର୍ଘ ୮ ମାସ କାଳ ମୁଖ୍ୟମନ୍ତ୍ରୀ ଏକାନ୍ତବାସରେ ରହି ଆସୁଛନ୍ତି । ଏହା ମଧ୍ୟରେ ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ବିଭିନ୍ନ ଅପରାଧିକ କାର୍ଯ୍ୟ ବୃଦ୍ଧି ସହ ଅପରାଧ ରୋକିବାରେ ପୁଲିସ ପ୍ରଶାସନର ନିଷ୍କ୍ରିୟତା ନେଇ ଲୋକଙ୍କ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ । ପ୍ରଶାସନର ନାଲିଆଖିକୁ ଖାତିର ନ କରି ଲୋକେ ଧୀରେଧୀରେ ରାଜରାସ୍ତାକୁ ଓହ୍ଲାଇବା ଦେଖିବାକୁ ମିଳୁଛି । ଦଳୀୟ ବିଧାୟକ, ମନ୍ତ୍ରୀ, ପ୍ରଶାସନିକ ଅଧିକାରୀଙ୍କ ନାମରେ କୋଟି କୋଟି କୋଟି ଟଙ୍କାର ଦୁର୍ନୀତି ଓ ହତ୍ୟା ପରି ଅଭିଯୋଗ ଆସୁଛି । ପୁଲିସ ପ୍ରଶାସନ ଲୋକଙ୍କୁ ଲାଠିର ଭୟ ଦେଖାଇ ନିର୍ଯାତନା ଦେଉଥିବା ବେଳେ ଲୋକଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛି । ଏସବୁକୁ ନେଇ ସାଧାରଣ ଜନତା ତଥା ବିରୋଧୀ ରାଜରାସ୍ତାକୁ ଓହ୍ଲାଇ ସରକାରର ଅପାରଗତାକୁ ପଦାରେ ପକାଉଛନ୍ତି । ଲୋକଙ୍କ ଦୃଷ୍ଟିରେ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି କ୍ଷୁନ୍ନ ହେଉଛି । ତେଣୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ସହ ହସ୍ପିଟାଲ ନିର୍ମାଣ ଓ ଲିଙ୍ଗରାଜ ମନ୍ଦିରକୁ ବିଶ୍ୱସ୍ତରୀୟ କରିବାର ଲଣ୍ଠନ ଦେଖାଇ ସେସବୁକୁ ପ୍ରଶମିତ କରିବାକୁ ଚଳିଛନ୍ତି ଆପ୍ରାଣ ଉଦ୍ୟମ ବୋଲି ମତ ପ୍ରକାଶ ପାଉଛି ।

ଏଥିସହ କେନ୍ଦ୍ର ଯୋଜନାକୁ ଚୋରି କରି ଶ୍ରେୟ ନେବାରେ ମୁଖ୍ୟମନ୍ତ୍ରୀ ପାରଙ୍ଗମତା ହାସଲ କରିଥିବା ଚର୍ଚ୍ଚା ହେଉଛି । ୨୦୧୫ରୁ କେନ୍ଦ୍ରର ହସ୍ପିଟାଲ ନିର୍ମାଣର ପାଇଁ ଆସିଥିବା ଅର୍ଥକୁ ଆତ୍ମସାତ୍ କରି ବର୍ତ୍ତମାନ ସରକାର ଲୋକଙ୍କ ଦୃଷ୍ଟିରୁ ନିଜ ଅପାରଗତା ପାଇଁ ଖସି ଯାଉଥିବା ଦେଖି ହସ୍ପିଟାଲର ଲଲିପପ୍ ଧରାଇ ଦେଇଥିବା କୁହାଯାଉଛି । ଏସବୁ ଦେଖି ବୁଦ୍ଧିଜୀବୀ ମହଲରେ ଶୁଣିବାକୁ ମିଳୁଛି, ଶ୍ରେୟ ନେବାରେ ଓ ଲୋକଙ୍କୁ ଭୁଆଁ ବୁଲାଇବରେ ମୁଖ୍ୟମନ୍ତ୍ରୀଙ୍କ ତୁଳନା ନାହିଁ । ରାଜ୍ୟର ବିକାଶ ପଛେ ଚୁଲିକୁ ଯାଉ, ରାଜ୍ୟବାସୀ ପଛେ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ପୋକମାଛି ପରି ମରନ୍ତୁ, ସେଥିରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ନାହିଁ । ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଦୁର୍ବଳ ନାଡିକୁ ବେଶ ଭଲଭାବେ ଚିହ୍ନଛନ୍ତି । ତେଣୁ ଯେତେବେଳେ ଲୋକଙ୍କ ମଧ୍ୟରେ ସରକାର ଉପରେ ସନ୍ଦେହ ସୃଷ୍ଟି ହେଉଛି, ସେତେବେଳେ ମୁଖ୍ୟମନ୍ତ୍ରୀ ଗୋଟିଏ ଗୋଟିଏ କେନ୍ଦ୍ର ପ୍ରକଳ୍ପକୁ ଲଲିପପ୍ ଭାବେ ବ୍ୟବହାର କରି ପୁନଃ ନିଜ ଭାବମୂର୍ତ୍ତି ପ୍ରତିଷ୍ଠା କରିଚାଲିଛନ୍ତି ।
