ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପରେ କଟାକ୍ଷ କରିଛି ଋଷ । ୨୦ ବର୍ଷ ଧରି ଆଫଗାନିସ୍ତାନକୁ କବଜା ରଖି ମଧ୍ୟ ଆମେରିକା ହାତ ଖାଲି । ଏପରି ସମାଲୋଚନା କରିଛନ୍ତି ଋଷ ରାଷ୍ଟ୍ରପତି ପୁଟିନ । ପୂର୍ବରୁ ପୁଟିନ ଆଫଗାନ ସ୍ଥିତିକୁ ନେଇ ମଧ୍ୟ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସମାଲୋଚନା କରିଥିଲେ । ଆଫଗାନସ୍ଥିତି ପାଇଁ ପୁଟିନ ବାଇଡେନ ସରକାରକୁ ଦାୟୀ କରିଥିଲେ ।
ରାଷ୍ଟ୍ରପତି ପୁଟିନ କହିଛନ୍ତି ଯେ ଦୀର୍ଘ ୨୦ ବର୍ଷ ଧରି ଆଫଗାନିସ୍ତାନକୁ ଆମେରିକା ନିଜ କବଜାରେ ରଖିବା ପରେ ମଧ୍ୟ ହାତ ଖାଲି ରହିଛି । ଆମେରିକା ନିଜର ସେନା ଜରିଆରେ ଆଫଗାନିସ୍ତାନକୁ କବଜା କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ଆଫଗାନିସ୍ତାନ ବାସୀଙ୍କୁ ସୁରକ୍ଷା ଦେଇ ପାରିଲା ନାହିଁ । ଏହାକୁ ନେଇ ଆଫଗାନବାସୀ ବହୁ ସମସ୍ୟା ଭୋଗିଛନ୍ତି । ଆଫଗାନିସ୍ତାନ ବାସିନ୍ଦା ଗୃହଶୂନ୍ୟ ହୋଇଛନ୍ତି । ତେବେ ଆମେରିକା ପୂର୍ବରୁ ସୋଭିଏତ ୟୁନିୟନ ୧୦ ବର୍ଷ ଧରି ଆଫଗାନିସ୍ତାନରେ ଯୁଦ୍ଧ ଲଢିଥିଲା ଓ ପରେ ଏହି କାର୍ଯ୍ୟରୁ ଓହରି ଯାଇଥିଲା ।
୩୦ ରାତିରେ ଆମେରିକା ସୈନ୍ୟ କାବୁଲ ଛାଡିଥିଲା । ତାଲିବାନ ସହ ପୂର୍ବ ଚୁକ୍ତି ଅନୁଯାୟୀ ଆମେରିକା ସୈନ୍ୟ ପ୍ରତ୍ୟାବର୍ତ୍ତନର ଗୋଟିଏ ଦିନ ପୂର୍ବରୁ ହିଁ ଆମେରିକା ତାର ସୈନ୍ୟଙ୍କୁ ଫେରାଇ ନେଇଥିଲା । ତେବେ ଆଫଗାନିସ୍ତାନରେ ଆମେରିକାର ବହୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ବିମାନ ଛାଡି ଆସିଲା । ଏହାକୁ ନେଇ ଆମେରିକା ପକ୍ଷରୁ କୁହାଯାଇଥିଲା ସେ ତାର ବିମାନକୁ ଡିଆକ୍ଟିଭେଟ କରି ଦେଇଛି । ଏହାକୁ ଆଉ ବ୍ୟବହାର କରାଯାଇ ପାରିବ ନାହିଁ । କିନ୍ତୁ ଦେଖା ଯାଉଛି, ତାଲିବାନ ସେନା ଆମେରିକୀୟ ବିମାନର ବ୍ୟବହାର କରୁଛି । ଏହାକୁ ନେଇ ସାରା ବିଶ୍ୱରେ ଆତଙ୍କ ଖେଳି ଯାଇଛି ।
previous post
next post
