ବ୍ୟୁରୋ: ଶ୍ରୀଲଙ୍କା ପରେ ଏବେ ପାକିସ୍ତାନରେ ଖୁବ୍ ଶୀଘ୍ର ଆସିବାକୁ ଯାଉଛି ଦୁର୍ଦ୍ଦିନୀ କଳାବାଦଲ । ଏଠାରେ ଅତ୍ୟାବଶ୍ୟକ ଦ୍ରବ୍ୟର ଘୋର ଅଭାବ ପରିଲକ୍ଷିତ ହେଲାଣି । ଦେଶ ଚଳାଇବାକୁ ନା ଅଛି ଅର୍ଥ ନା ଅଛି ଇନ୍ଧନ । ଦେଶକୁ କିପରି ଚଳାଇବେ ସେହି ଚିନ୍ତାରେ ଶାହାବାଜ୍ ସରକାର । ପାକିସ୍ତାନରେ ବଦଳିଛି ସରକାର । ହେଲେ ବଦଳିନି ସ୍ଥିତି । ବରଂ ଖୁବ ଶୀଘ୍ର ପାକିସ୍ତାନରେ ଶ୍ରୀଲଙ୍କା ପରି ଦୟନୀୟ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ସୂଚନାନୁସରେ , ଦେଶରେ ନା ଅଛି ଆବଶ୍ୟକ ଅର୍ଥ ନା ଅଛି ଆବଶ୍ୟକ ଇନ୍ଧନ ।
ପରିସ୍ଥିତି ଏପରି ଗମ୍ଭୀର ହେବାକୁ ଯାଉଛି ଯେ, ସ୍ଥିତି ସୁଧାରିବାକୁ ଏଠିକାର ଶାହାବାଜ ସରକାର ନେଇଛନ୍ତି ଅଜବ ନିଷ୍ପତ୍ତି । ଦେଶର ତୈଳ ଯେପରି ଶେଷ ନହୁଏ ସେଥିପାଇଁ ପ୍ରଧାନମନ୍ତ୍ରୀ ଶହାବାଜ ସରିଫ୍ ସରକାର ସରକାରୀ କର୍ମଚାରୀଙ୍କୁ ଦୁଇ ଦିନ ବଦଳରେ ୪ ଦିନ ଛୁଟି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ଦେଶର ଇନ୍ଧନ ଖର୍ଚ୍ଚକୁ କମାଯାଇପାରିବ । ଏପରି କଲେ ଦେଶରେ ବାର୍ଷିକ ୨.୭ ବିଲିୟନ୍ ଡଲାର ବିଦେଶୀ ମୁଦ୍ରାକୁ ସଞ୍ଚୟ କରାଯାଇପାରିବ ବୋଲି ଶାହାବାଜ ସରକାର କହିଛନ୍ତି । କୁହାଯାଉଛି ଯେ , ଶ୍ରୀଲଙ୍କାରେ ଯେମିତି ଅର୍ଥ ସଙ୍କଟ ହୋଇଛି ପାକିସ୍ତାନର ବି ସେହିଭଳି ଦୃଶ୍ୟ ଆଗାମୀ ଦିନରେ ଦେଖିବାକୁ ମିଳିପାରେ ବୋଲି ଅନୁମାନ କରାଯାଉଛି।