(ପୁରୀ) : ପୁରୀରେ ଲାଗିରହିଛି ଝିପିଝିପି ବର୍ଷା । ସବୁଠି ଭକ୍ତିମୟ ପରିବେଶ । ଲାଗୁଛି ଯେମିତି ମହାପ୍ରଭୁ ଆକାଶରୁ ଅଜାଡି ହେଉଛି ଆଶୀର୍ବାଦ । ବର୍ଷା, ଶୀତକୁ ଖାତିର ନକରି ପୁରୀରେ ପହଞ୍ଚୁଛନ୍ତି ଶ୍ରଦ୍ଧାଳୁ । ରଥଯାତ୍ରା ଭଳି ଆଜି ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ସୂଚନାନୁଯାୟୀ , ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ମହୋତ୍ସବକୁ ସଦା ସ୍ମରଣୀୟ ରଖିବା ଭଳି ଭବ୍ୟ ଆୟୋଜନ କରାଯାଉଛି । ତୁଳସୀ ବିନା ଜଗନ୍ନାଥଙ୍କ କୌଣସି କାର୍ଯ୍ୟ ସମ୍ପୂର୍ଣ ହୁଏ ନାହିଁ । ସ୍ୱୟଂ ପ୍ରଭୁ ଜଗନ୍ନାଥ ତୁଳସୀଙ୍କୁ ମସ୍ତକ, ହୃଦୟରେ ଧାରଣ କରିଥାନ୍ତି । ତୁଳସୀ ପତ୍ର ବିନା ମହାପ୍ରଭୁଙ୍କ ମହାପ୍ରସାଦ ଲାଗି ହେଇପାରେନାହିଁ। ଫୁଲ ମାଳ ସହ ତୁଳସୀ ମାଳ ମଧ୍ୟ ଶ୍ରୀଜଗନ୍ନାଥଙ୍କ ଗଳାରେ ଓ ହସ୍ତରେ ଶୋଭା ପାଇଥାଏ। ଏହି ସମସ୍ତ ବିଷୟକୁ ଧ୍ୟାନରେ ରଖି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ତୁଳସୀକୁ ସ୍ୱତନ୍ତ୍ର ମର୍ଯ୍ୟାଦା ଦିଆଯାଇଛି। ପରିକ୍ରମା ପ୍ରକଳ୍ପରେ ବିଭିନ୍ନ ସ୍ଥାନରେ ପ୍ରଭୁଙ୍କ ଅତିପ୍ରିୟ ତୁଳସୀ ଗଛ ରୋପଣ କରାଯାଇଛି।
