(ପୁରୀ) : ଆଜି ପବିତ୍ର ମାଘ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀବିଗ୍ରହଙ୍କ ଗଜ ଉଦ୍ଧାରଣ ବେଶ । ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ହେବା ପରେ ସିଂହାରୀ ସେବକଙ୍କ ଦ୍ୱାରା ଏହି ବେଶ ଅନୁଷ୍ଠିତ ହେବ । ସନ୍ଧ୍ୟା ଧୂପରେ ମହାପ୍ରଭୁଙ୍କୁ କ୍ଷୀରି ଓ ଅମାଲୁ ଭୋଗ ଅର୍ପଣ କରାଯିବ ।
ସୂଚନାନୁଯାୟୀ , ସନ୍ଧ୍ୟା ଧୂପ ଶେଷ ପରେ ସର୍ବସାଧାରଣ ଦର୍ଶନ ବା ସାହାଣମେଳା ଅନୁଷ୍ଠିତ ହେବ । ସାହାଣ ମେଳା ଦର୍ଶନ ପରେ ମହାସ୍ନାନ ହୋଇ ଶ୍ରୀଜିଉ ମାନଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ କରାଯିବ । ମହାପ୍ରଭୁ ଶ୍ରୀଜଗନ୍ନାଥ ଚତୁର୍ଭୁଜ ହୋଇ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିବେ । ଗରୁଡ ଉପରେ ବସିବା ଢଙ୍ଗିରେ ଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିବେ । ଠାକୁରଙ୍କ ସମୀପରେ ଦୁଇଟି ହାତୀ ଶୁଣ୍ଢରେ ପଦ୍ମକଢ ଧରି ଦଣ୍ଡାୟମାନ ହୋଇଥିବେ । ସୋଲ, ଜରି, ଜମ୍ୱୁରା, କନା, କଇଁଥ ଅଠାରେ କୁଶଳୀ କାରିଗରଙ୍କ ଦ୍ୱାରା ନିର୍ମିତ ବିଭିନ୍ନ ଅଳଙ୍କାର ମାନ ଠାକୁରଙ୍କୁ ଲାଗି ହୋଇଥାଏ । ଅପରାହ୍ନରେ ଠାକୁରଙ୍କ ଏହି ବେଶ ପ୍ରସ୍ତୁତି ହୋଇଥାଏ । ମଧ୍ୟାହ୍ନ ଧୂପ ପରେ ବେଶ ଆରମ୍ଭ ହେବ ।
