(ଭୁବନେଶ୍ୱର) : ଗ୍ରୀଷ୍ମ ପ୍ରବାହ ମଧ୍ୟରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ଦୁଇ ଦିନ ଧରି ଝଡ଼ ବର୍ଷା ଲାଗି ରହିଛି । ଏପରିକି ଗତ ୨୪ଘଣ୍ଟା ଧରି ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ଅନ୍ୟ ଅଞ୍ଚଳରେ ବର୍ଷା ଲାଗି ରହିଛି । କୋହଲା ପାଗ ସାଙ୍ଗକୁ ପବନ ବହୁଛି । ବିଜୁଳି ଘଡ଼ଘଡି ସହ ବର୍ଷା ଲାଗି ରହିବା ଫଳରେ ଜନଜୀବନ ପ୍ରଭାବିତ ହୋଇଛି ।
ସୂଚନାନୁଯାୟୀ , ଖୋର୍ଦ୍ଧା, ନୟାଗଡ଼, ପୁରୀ, ଜଗତସିଂହପୁର, କଟକ, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ବର୍ଷା ହୋଇଛି । ଆଜି ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ୯ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ସୁବର୍ଣ୍ଣପୁର ଓ ବୌଦ୍ଧରେ ଝଡ଼ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଆଗାମୀ ୨୪ଘଣ୍ଟା ପର୍ଯ୍ୟନ୍ତ ଏମିତି ପାଗ ରହିବା ସହ ବର୍ଷା ହେବ । ବାୟୁମଣ୍ଡଳର ମଧ୍ୟ ଏବଂ ଉପରିଭାଗରେ ପଶ୍ଚିମାବାୟୁ ସ୍ରୋତରେ ସୃଷ୍ଟିହୋଇଥିବା ନିମ୍ନଚାପ ରେଖା ଯୋଗୁ ବର୍ଷା ହେବ । ବିଶେଷ କରି ଉପକୂଳ ଓଡ଼ିଶାର ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ପୁରୀ, କଟକ, କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସହ ଟ୍ୱିନ ସିଟି ଭୁବନେଶ୍ୱର ଏବଂ କଟକରେ ଝଡ଼ବର୍ଷା ହେବ । ଆଗାମୀ ୨୪ ଘଣ୍ଟାରେ ଏହିସବୁ ଜିଲ୍ଲାରେ ବର୍ଷାର ମାତ୍ରା ବଢିବ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବୈଜ୍ଞାନିକ ଉମାଶଙ୍କର ଦାସ ।
