ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଘଟିଛି ଅଭାବନୀୟ ଘଟଣା । ଏକ କୋଚିଂ ସେଣ୍ଟରରେ ବଡ଼ ଅଘଟଣ ଘଟିଛି । ବେସମେଣ୍ଟରେ ସ୍ବେରେଜ ପାଣି ପଶିଯିବାରୁ ୩ ଛାତ୍ର ମୃତ ହେବା ସହ ଅନେକ ଛାତ୍ର ନିଖୋଜ ଥିବା ସୂଚନା ରହିଛି । ଦିଲ୍ଲୀ ଓଲ୍ଡ ରାଜେନ୍ଦ୍ର ନଗର ସ୍ଥିତ ରାଓ ଆଇଏସ କୋଚିଂ ସେଣ୍ଟରର ବେସମେଣ୍ଟରେ ଏଭଳି ଅଘଟଣ ଘଟିଛି। ଘଟଣା ସ୍ଥଳରେ ପହଞ୍ଚି ଏନଡିଆରଏଫ ମୃତଦେହ ଉଦ୍ଧାର କରିବା ସହ ଅନ୍ୟ ନିଖୋଜ ମାନଙ୍କୁ ଖୋଜାଖୋଜି କରୁଛି। ବେସମେଣ୍ଟରେ ଥିବା ଲାଇବ୍ରେରୀରେ ଛାତ୍ରଛାତ୍ରୀମାନେ ପାଠ ପଢୁଥିବା ସମୟରେ ହଠାତ ପାଣି ମାଡି ଆସିଥିଲା। ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ ଛାତ୍ରଛାତ୍ରୀମାନେ ଉପରକୁ ଆସିବାକୁ ସକ୍ଷମ ହୋଇନଥିଲେ। ଚାହୁଁ ଚାହୁଁ ବେସମେଣ୍ଟରେ ୧୨ଫୁଟ ଉଚ୍ଚର ପାଣି ଛୁଇଁ ସାରିଥିଲା। ଡ୍ରେନ କିମ୍ବା ସ୍ବେରେଜ୍ ଫାଟିଯିବା ଫଳରେ ବେସମେଣ୍ଟକୁ ପାଣି ମାଡ଼ିଆସିଥିବା ସ୍ଥାନୀୟ ଅଂଚଳବାସୀ କହିଛନ୍ତି। ଏନଡିଆରଏଫ ଟିମ୍ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ବେସମେଣ୍ଟରୁ ପାଣି ନିଷ୍କାସନ କରିବା ସହିତ ୩ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ବେସମେଣ୍ଟରେ ପାଣି ଆସିବା ପୂର୍ବରୁ ପ୍ରାୟ ୩୦ ଅଧିକ ଛାତ୍ରଛାତ୍ରୀ ଲାଇବ୍ରେରୀରେ ପାଠ ପଢୁଥିବା ବେଳେ ଏବେ ବି ଅନେକ ଛାତ୍ରଛାତ୍ରୀ ନିଖୋଜ ରହିଛନ୍ତି। କେଜ୍ରିୱାଲ ସରକାରଙ୍କ ଅସଜଡା ଡ୍ରେନେଜ ବ୍ୟବସ୍ଥା ଯୋଗୁଁ ଏଭଳି ଅଘଟଣ ଘଟିଲା ବୋଲି ଦିଲ୍ଲୀ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ସେପଟେ ଏହି ଘଟଣାର ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନଙ୍କ ଦାୟିତ୍ବହୀନତା ଲାଗି ଏଭଳି ଘଟଣା ଘଟିଲା ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦିଲ୍ଲୀ ସରକାରର ମନ୍ତ୍ରୀ ଆତିଶୀ ମାର୍ଲେନା କହିଛନ୍ତି।
previous post
