ଦିଲ୍ଲୀ ରାଜେନ୍ଦ୍ର ନାଗରର ଏକ ଆଇଏଏସ କୋଚିଂ ସେଣ୍ଟରର ୩ ଜଣ ଆଶାୟୀଙ୍କ ମୃତ୍ୟୁ ମାମଲାରେ ମାଲିକ ଓ ସଂଯୋଜକ ଗିରଫ । ଦିଲ୍ଲୀ ପୋଲିସ କୋଚିଂ ସେଣ୍ଟର ମାଲିକ ଅଭିଷେକ ଗୁପ୍ତା ଏବଂ ସଂଯୋଜକ ଦେଶପାଲ ସିଂହଙ୍କୁ ଗିରଫ କରିଛି। ସେପଟେ ଏହି ଘଟଣାକୁ ନେଇ ଛାତ୍ରଛାତ୍ରୀମାନେ ରାଜରାସ୍ତାରେ ବ୍ୟାପକ ବିରୋଧ ପ୍ରଦର୍ଶନ କରିବା ସହ ଏଥିପାଇଁ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି ।
ସୂଚନା ଅନୁସାରେ, ଗତକାଲି ଦିଲ୍ଲୀରେ ପ୍ରବଳ ବର୍ଷା ହେବା ପରେ ରାଜେନ୍ଦ୍ର ନଗରରେ ଥିବା ଏକ ଆଇଏଏସ କୋଚିଂ ସେଣ୍ଟରର ବେସମେଣ୍ଟରେ ପାଣି ପଶି ଯାଇଥିଲା।ତଳ ମହଲା ଲାଇବ୍ରେରୀ ଥିବାରୁ ଏଠାରେ ୩୦ରୁ ୩୫ ଜଣ ଛାତ୍ରୀଛାତ୍ର ପଢ଼ୁଥିଲେ । ଏହି ସମୟରେ ନିକଟରେ ଯାଇଥିବା ଡ୍ରେନ୍ର ପାଣି ପ୍ରବଳ ବେଗରେ ମାଡ଼ିଆସିଥିଲା । ସଙ୍ଗେ ସଙ୍ଗେ ପାଣି ବେଞ୍ଚ ଉପର ଯାଏଁ ଚାଲି ଆସିବାରୁ ଛାତ୍ରୀଛାତ୍ରମାନେ ବେଞ୍ଚ ଉପରକୁ ଚଢ଼ି ଯାଇଥିଲେ । ହେଲେ ଦୁର୍ଭାଗ୍ୟବଶତଃ ୩ ଜଣ ସେହି ପାଣିରେ ବୁଡ଼ି ଯାଇଥିଲେ । ଖବର ପାଇ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଜଣେ ସେମାନଙ୍କ ମୃତ୍ୟୁ ଘଟିଥିଲା।
ମୃତକଙ୍କ ମଧ୍ୟରେ ୨ ଜଣ ଝିଅ ଏବଂ ଜଣେ ପୁଅ ରହିଛନ୍ତି । ସେମାନେ ହେଲେ ତେଲେଙ୍ଗାନାର ତାନିଆ ସୋନି (୨୫), ଉତ୍ତରପ୍ରଦେଶର ଶ୍ରେୟା ଯାଦବ (୨୫) ଏବଂ କେରଳର ନବୀନ ଡେଲଭିନ୍ (୨୮)।
