ଓଡିଶା

ଗ୍ରାମୀଣ’ ଯୋଜନାକୁ ସରକାରୀ ମୋହର; ଗ୍ରାମାଞ୍ଚଳରେ ୧୨୦ ଦିନର ରୋଜଗାର ଗ୍ୟାରେଣ୍ଟି…

ଗ୍ରାମୀଣ’ ଯୋଜନାକୁ ସରକାରୀ ମୋହର; ଗ୍ରାମାଞ୍ଚଳରେ ୧୨୦ ଦିନର ରୋଜଗାର ଗ୍ୟାରେଣ୍ଟି। ପ୍ରକାଶ ପାଇଲା ବିଜ୍ଞପ୍ତି; ଓଡ଼ିଶାରେ ଲାଗୁ ହେଲା ଭିବି- ଜୀ ରାମ ଜୀ। ରାଜ୍ୟର ଗ୍ରାମୀଣ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବା ଏବଂ ଗ୍ରାମାଞ୍ଚଳରେ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଓଡ଼ିଶା ସରକାର ‘ବିକଶିତ ଭାରତ-ଗ୍ରାମୀଣ ରୋଜଗାର ଓ ଆଜୀବିକା ମିଶନ (ଗ୍ରାମୀଣ)’ ଯୋଜନାର ବିଜ୍ଞପ୍ତି ଜାରି କରିଛନ୍ତି। ପୂର୍ବରୁ ରାଜ୍ୟ କ୍ୟାବିନେଟ୍ ଏହି ଯୋଜନାକୁ ଅନୁମୋଦନ କରିଥିବାବେଳେ ବର୍ତ୍ତମାନ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିସ୍ତୃତ ଗାଇଡ୍‌ଲାଇନ୍ ଜାରି କରାଯାଇଛି। ଆସନ୍ତା ୧ ଜୁଲାଇ ୨୦୨୬ରୁ ଯୋଜନାଟି ରାଜ୍ୟର ସମସ୍ତ ବିଜ୍ଞପ୍ତ ଗ୍ରାମୀଣ ଅଞ୍ଚଳରେ ଲାଗୁ ହେବ। ଏହା ଅଧୀନରେ ପ୍ରତ୍ୟେକ ଯୋଗ୍ୟ ପରିବାରକୁ ବର୍ଷକୁ ୧୨୦ ଦିନର ଅକୁଶଳ ଶ୍ରମଭିତ୍ତିକ ରୋଜଗାର ନିଶ୍ଚିତ କରାଯିବ। ଆବେଦନର ୧୫ ଦିନ ମଧ୍ୟରେ କାମ ଯୋଗାଇ ଦିଆନଗଲେ ବେକାର ଭତ୍ତା ପ୍ରଦାନର ବ୍ୟବସ୍ଥା ରହିଛି। ସେହିପରି ମଜୁରି ପ୍ରଦାନରେ ବିଳମ୍ବ ହେଲେ କ୍ଷତିପୂରଣ ଦେବାକୁ ମଧ୍ୟ ସ୍ପଷ୍ଟ ବ୍ୟବସ୍ଥା କରାଯାଇଛି। ଯୋଜନାକୁ ‘ବିକଶିତ ଭାରତ-୨୦୪୭’ ଦୃଷ୍ଟିକୋଣ ସହ ସମନ୍ୱୟ କରାଯାଇଥିବା ସରକାର କହିଛନ୍ତି। ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ନିଜ ଅଞ୍ଚଳର ଆବଶ୍ୟକତା ଓ ସମ୍ପଦ ଆଧାରରେ ବିକାଶ ଯୋଜନା ପ୍ରସ୍ତୁତ କରିବ ଏବଂ ସେହି ଯୋଜନା ଅନୁସାରେ କାମ ଚୟନ କରାଯିବ। ଯୋଜନାର କାର୍ଯ୍ୟକାରୀ ରୂପାୟନ ପାଇଁ ରାଜ୍ୟ ସ୍ତରରେ ‘ଓଡ଼ିଶା ରାଜ୍ୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ପରିଷଦ’ ଓ ‘ରାଜ୍ୟ ସ୍ତରୀୟ ଷ୍ଟିୟରିଂ କମିଟି’ ଗଠନ କରାଯିବ। ଜିଲ୍ଲାପାଳମାନେ ଜିଲ୍ଲା କାର୍ଯ୍ୟକ୍ରମ ସମନ୍ୱୟକାରୀ ଭାବେ ଯୋଜନାର ରୂପାୟନ ତଦାରଖ କରିବେ। ସେହିପରି ପଞ୍ଚାୟତରାଜ ଅନୁଷ୍ଠାନଗୁଡ଼ିକୁ ଯୋଜନା ପ୍ରସ୍ତୁତି, କାର୍ଯ୍ୟାନ୍ୱୟନ ଓ ସାମାଜିକ ନିରୀକ୍ଷଣରେ କେନ୍ଦ୍ରୀୟ ଭୂମିକା ଦିଆଯାଇଛି।

Related posts

ପ୍ରବଳ ବର୍ଷା : ୭ଜିଲ୍ଲାକୁ  ଅରେଞ୍ଜ ୱାର୍ଣ୍ଣିଂ ଜାରି 

mahabharatanews

ରାଜ୍ୟର ସରକାରୀ ଅଫିସ ଚାଲିବ ୫୦ ପ୍ରତିଶତ କର୍ମଚାରୀରେ

mahabharatanews

ଘରଭଡା ମାଗିବାରୁ ମାଲିକଙ୍କୁ ଛାତରୁ ଠେଲିଦେଲେ ଭଡାଟିଆ

mahabharatanews