ଓଡିଶାଦୁର୍ଘଟଣା

ନିମନ୍ତ୍ରଣ ଦେଇ ଫେରୁଥିଲେ, ରାସ୍ତାରେ ଜଗିଥିଲା ମୃତ୍ୟୁ

କନ୍ଧମାଳ ଜିଲ୍ଲାରୁ ଆସିଛି ଏକ ହୃଦୟବିଦାରକ ଘଟଣା। ନବଜାତ ପୁଅର ଏକୋଇଶିଆ ଉତ୍ସବ ପାଇଁ ବନ୍ଧୁ-ବାନ୍ଧବଙ୍କୁ ନିମନ୍ତ୍ରଣ ଦେଇ ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜଣେ ବାପାଙ୍କ ଜୀବନ। ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଇତିଙ୍ଗିଆ ଗାଁ ଛକ ନିକଟରେ ଏକ ମାଲ ବୋଝେଇ ଅଟୋ ସହ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ବାଇକ ଚାଳକ ସୁମନ କହଁରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ, ତାଙ୍କ ସହ ଥିବା ଅନୁଭବ କହଁର ଗୁରୁତର ଆହତ ହୋଇଛନ୍ତି। ମୃତକ ସୁମନ କହଁର ଫିରିଙ୍ଗିଆ ଥାନା ବବଡିଙ୍ଗିଆ ଗାଁର ବାସିନ୍ଦା ହୋଇଥିବା ବେଳେ, ଆହତ ଅନୁଭବ ମଧ୍ୟ ସେହି ଗାଁର ବୋଲି ଜଣାପଡ଼ିଛି।

ଖବର ପାଇ ଅଗ୍ନିଶମ ବାହିନୀ ଏବଂ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଫିରିଙ୍ଗିଆ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ସୁମନଙ୍କୁ ମୃତ ଘୋଷଣା କରିଥିବା ବେଳେ, ଗୁରୁତର ଆହତ ଅନୁଭବଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସବୁଠାରୁ ବେଦନାଦାୟକ କଥା ହେଉଛି, ନିଜ ନବଜାତ ପୁଅର ଏକୋଇଶିଆ ଉତ୍ସବ ପାଇଁ ନିମନ୍ତ୍ରଣ ଦେଇ ଫେରୁଥିବା ବେଳେ ସୁମନଙ୍କ ଜୀବନ ଦୀପ ନିଭିଯାଇଛି। ଏହି ଘଟଣା ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି ଏବଂ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଦୁର୍ଘଟଣା ପରେ ମାଲ ବୋଝେଇ ଅଟୋଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଅଟୋ ଚାଳକ ଗାଡ଼ି ସହ ଫିରିଙ୍ଗିଆ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ପୋଲିସ ଡ୍ରାଇଭରକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି। ଏନେଇ ଫିରିଙ୍ଗିଆ ଥାନା ଅଧିକାରୀ ମୁରଲୀଧର ସାହୁ ସୂଚନା ଦେଇଛନ୍ତି।

 

Related posts

ଗାଡ଼ି ଦୁର୍ଘଟଣାଗ୍ରସ୍ତ; ୯ ମହିଳା ପୁଲିସ ଆହତ

mahabharatanews

ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଓଡ଼ିଆ ଯବାନଙ୍କ ହେବ ଶେଷକୃତ୍ୟ 

mahabharatanews

‘ଓଡ଼ିଶା ସ୍ୱାର୍ଥକୁ ନେଇ ସାଲିସ କରାଯିବନି’

mahabharatanews