Uncategorized

ଗାଁକୁ ଆମ୍ବୁଲାନ୍ସ ଆସି ନପାରି ଶିଶୁ ପୁତ୍ରର ମୃତ୍ୟୁ

(ବନବାସୀ ପ୍ରଧାନ/ବାଲିଗୁଡା): କଣ୍ଟେନମେଣ୍ଟ ଯୋଗୁ ଗାଁ ଭିତରକୁ ଆମ୍ବୁଲାନ୍ସ ଆସି ନ ପାରି ଜଣେ ଶିଶୁର ଜୀବନ ଚାଲିଗଲା । ମୃତ୍ୟୁ ପରେ ବି ଡାକ୍ତରଖାନାରୁ ଘରକୁ ଶବ ଆଣିବା ଲାଗି ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡି ବି ମିଳିଲା ନାହିଁ । ଶେଷରେ ପରିବାର ଲୋକେ ଶବକୁ ବାଇକ ଯୋଗେ ଘରକୁ ନେବାକୁ ବାଧ୍ୟ ହେବାକୁ ପଡିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅଞ୍ଚଳରେ । ବ୍ଲକ ଅନ୍ତର୍ଗତ ସୁଗଡବାଡ଼ି ଗାଁର ବାସିନ୍ଦା ମୁନାଙ୍କ ୭ ବର୍ଷର ପୁଅ ବାଲେଙ୍କେଶ୍ୱରର ଦେହ ଅସୁସ୍ଥ ଥିବାରୁ ସେ ଆମ୍ବୁଲାନ୍ସ ଡକାଇଥିଲେ । କିନ୍ତୁ ପାଟୁଳି ଠାରେ ବ୍ଲକ ପ୍ରଶାସନ ତରଫରୁ କଣ୍ଟେନମେଣ୍ଟ ଜୋନ ପାଇଁ ରାସ୍ତା ବନ୍ଦ କରାଯାଇଥିଲା । ଫଳରେ ଆମ୍ବୁଲାନ୍ସଟି ସେଠି ଅଟକି ରହିବା ସହ ଗାଁ ଭିତରକୁ ଯାଇ ପାରିନଥିଲା । ଅସୁସ୍ଥ ପୁଅକୁ ଧରି ପରିବାର ଲୋକେ ବାଧ୍ୟ ହୋଇ ପାଖାପାଖି ୪ କିଲୋମିଟର ଚାଲି ଚାଲି ଆସି ଅଧ ଘଣ୍ଟା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ । ରାଇକିଆ ଡାକ୍ତରଖାନାରେ ଅସୁସ୍ଥ ପୁଅକୁ ଦେଖିବା ପରେ ଚିକିତ୍ସା କରୁଥିବା ଡାକ୍ତର ଜଣକ ଅଧିକ ଚିକିତ୍ସା ଲାଗି ଫୁଲବାଣୀ ନେଇ ଯିବାକୁ କହିଥିଲେ । କିନ୍ତୁ କିଛି ସମୟ ପରେ ଅସୁସ୍ଥ ବାଲେଙ୍କେଶ୍ୱରର ମୃତ୍ୟୁ ହୋଇଥିଲା । ପୁଅର ଶବକୁ ଆଣିବା ଲାଗି ଡାକ୍ତରଖାନା ତରଫରୁ ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡି ମିଳିନଥିଲା । ପରେ ପରିବାର ଲୋକେ ବାଇକ ଯୋଗେ ଘରକୁ ମୃତ ଶିଶୁପୁତ୍ରର ମରଶରୀର ନେଇ ଆସିଥିଲେ । ସ୍ଥାନୀୟ ପ୍ରଶାସନ ମୁଖ୍ୟ ରାସ୍ତାରେ ରାସ୍ତା ବନ୍ଦ କରିବା ଯୋଗୁ ଶିଶୁଟିର ଜୀବନ ଚାଲିଗଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ରାଇକିଆ ବ୍ଲକ ପ୍ରଶାସନର ଏଭଳି ରାସ୍ତା ବନ୍ଦ ଯୋଗୁ ଶିଶୁଟିର ସଠିକ ସମୟରେ ଚିକିତ୍ସା ହୋଇ ପାରିଲା ନାହିଁ ବୋଲି ଅଞ୍ଚଳବାସୀ ମଧ୍ୟ ଅଭିଯୋଗ କରିଛନ୍ତି । କିନ୍ତୁ ଏ ନେଇ ବ୍ଲକ ପ୍ରଶାସନ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Related posts

ସିଏଏ ବିରୋଧୀ ବିକ୍ଷୋଭକାରୀ ଲକ୍ଷେ୍ନø ଜେଲରୁ ଖଲାସ

mahabharatanews

ନିହତ ବିକାଶ ଦୁବେ ସହ ପୁଲିସର ସମ୍ପର୍କକୁ ନେଇ ତଦନ୍ତ ଆରମ୍ଭ କଲା ଏସଆଇଟି

mahabharatanews

ଟିକଟକ ସମେତ ୫୯ଟି ଚାଇନା ଆପ ବ୍ୟାନ କଲେ ଭାରତ ସରକାର

mahabharatanews