(ଶ୍ରୀନଗର): ଜମ୍ମୁ-କାଶ୍ମୀରରୁ ଗିରଫ ହୋଇଥିବା ପୂର୍ବତନ ଡିଏସପି ଦେବିନ୍ଦର ସିଂହଙ୍କ ସମ୍ପର୍କରେ ଏବେ ଏକ ଚାଞ୍ଚଲ୍ୟକର ତଥ୍ୟ ଜଣାପଡିଛି । ତାଙ୍କୁ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ ଠାରୁ ବର୍ଷକର ଦରମା ମିଳୁଥିଲା ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ଦେବିନ୍ଦର କେବଳ ଆତଙ୍କବାଦୀ ନଭୀଦ ମୁସ୍ତାକଙ୍କୁ ସ୍ଥାନାନ୍ତର ଓ ବର୍ଷସାରା ସହଯୋଗ କରିବା ପାଇଁ ଟଙ୍କା ନେଉଥିଲେ । ଏଥିପାଇଁ ହିଜବୁଲ୍ ସହ ଦେବିନ୍ଦରଙ୍କ ପାଖାପାଖି ୨୦ରୁ ୩୦ ଲକ୍ଷ ଟଙ୍କା ବୁଝାମଣା ହୋଇଥିଲା । କିନ୍ତୁ ସେ ସମସ୍ତ ଟଙ୍କା ପାଇ ନଥିବା ଜଣାପଡିଛି । ଏନେଇ ତଦନ୍ତକାରୀ ସଂସ୍ଥାର କର୍ମଚାରୀ ସୂଚନା ଦେଇଛନ୍ତି । ଦେବିନ୍ଦର ଆତଙ୍କୀ ନଭୀଦକୁ ଜମ୍ମୁ ନେଇ ଯାଉଥିବା ବେଳେ ଧରାପଡିଥିଲେ ବୋଲି ଜଣେ ତଦନ୍ତକାରୀ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ନିଜ ନାମ ଗୋପନ ରଖି କହିଛନ୍ତି । ସୂଚନାଯୋଗ୍ୟ, ଆତଙ୍କବାଦୀ ନଭୀଦଙ୍କ ସହ ଦେବିନ୍ଦରଙ୍କୁ ଜାନୁଆରୀ ୧୧ରେ ଗିରଫ କରାଯାଇଥିଲା । ଏହାପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା । ଗିରଫ ସମୟରେ ଦେବିନ୍ଦର ନଭୀଦକୁ ଜମ୍ମୁ ନେଇ ଯାଉଥିଲେ । ସେଠାରେ ନାଭିଦଙ୍କ ପାକିସ୍ତାନ ଯିବାର କାର୍ଯ୍ୟକ୍ରମ ରହିଥିଲା ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି । ତେବେ ପାକିସ୍ତାନ ଯିବା ପାଇଁ ସେ କେଉଁ ରାସ୍ତାରେ ଯାଉଥିଲେ ସେ ନେଇ ତଦନ୍ତ ଚାଲିଛି । କିନ୍ତୁ ଦେବିନ୍ଦର ତଦନ୍ତରେ ସହଯୋଗ କରୁନଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି ।
previous post
next post