ମସ୍କୋ : ଋଷ ଏବଂ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ଶେଷ ହେବାର କୌଣସି ସଙ୍କେତ ମିଳୁନାହିଁ । ଏହାରି ମଧ୍ୟରେ ବହୁ ଜନତା ଏକ ଦୁର୍ବିସହ ଜୀବନ ଅତିବାହିତ କରୁଥିବା ଦେଖିବାକୁ ମିଳିଛି । ଲକ୍ଷ ଲକ୍ଷ ଲୋକ ୟୁକ୍ରେନ ଛାଡି ଅନ୍ୟତ୍ର ବାସ କରୁଥିବା ଜଣାପଡିଛି । ସେମାନଙ୍କ ମଧ୍ୟରେ ବହୁ ଶିଶୁ ସାମିଲ ହୋଇଛନ୍ତି । ଏହି ପିଲାମାନଙ୍କୁ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ସମଗ୍ର ବିଶ୍ୱରୁ ସହାୟତା ଯୋଗାଡ ହେଉଛି । ଇତିମଧ୍ୟରେ ଏକ ଇଣ୍ଡିପେଣ୍ଡେଣ୍ଟ ନ୍ୟୁଜ ପେପର ‘ନୋବାୟା ଗଜେଟା’ର ମୁଖ୍ୟ ସମ୍ପାଦକ ଦିମିତ୍ରୀ ମୁରାଟୋବ ଏକ ସ୍ୱତନ୍ତ୍ର ପ୍ରୟାସ ଆରମ୍ଭ କରିଛନ୍ତି । ଏହି ଅବହେଳିତ ଶିଶୁମାନଙ୍କୁ ସହାୟତା ଯୋଗାଇବା ପାଇଁ ଦିମିତ୍ରୀ ନିଜର ନୋବେଲ ପ୍ରାଇଜକୁ ନିଲାମ କରିଥିବା ଜଣାପଡିଛି । ଏନେଇ ନ୍ୟୁୟର୍କ ହେରିଟେଜ ଅକସନ ପକ୍ଷରୁ ଗୋଟିଏ ଇଭେଣ୍ଟ ଆୟୋଜିତ ହୋଇଥିଲା । ଏହାକୁ ଜଣେ ଅଜ୍ଞାତ ବ୍ୟକ୍ତି ଏହି ନୋବେଲ ପ୍ରାଇଜକୁ ୧୦.୩୫ କୋଟି ଡଲାରରେ କିଣିଥିବା ଜଣାପଡିଛି । ସୂଚନାଯୋଗ୍ୟ, ଗତ ୨୦୨୧ରେ ଫିଲିପାଇନ୍ସର ସାମ୍ବାଦିକ ମାରିଆ ରସାଙ୍କ ସହିତ ‘ଫ୍ରିଡମ ଅଫ୍ ଏକ୍ସପ୍ରେସସନର ରକ୍ଷା ପାଇଁ’ ଶାନ୍ତିର ନୋବେଲ ପୁରସ୍କାର ପାଇଥିଲେ ।