ଭୁବନେଶ୍ଵର: ବହୁଚର୍ଚ୍ଚିତ ଶ୍ରୀମନ୍ଦିର ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ହତ୍ୟା ମାମଲାରେ ଫେରାର ୪ ଅଭିଯୁକ୍ତ ଗିରଫ । ଟୁଟୁ ମହାପାତ୍ର, ହରି ପଣ୍ଡା, କୁନମୁନି ସୁଆର ଓ ଜଗନ ଖଟେଇକୁ ଗିରଫ କରିଛି ପୋଲିସ । ତେବେ ସୂଚନା ଅନୁଯାୟୀ ଏମାନଙ୍କ ମଧ୍ୟରୁ ଟୁଟୁ ହିଁ କୃଷ୍ଣ ପ୍ରତିହାରୀଙ୍କୁ ମୁଣ୍ଡକୁ ଗୁଳି ମାରିଥିଲା । ହତ୍ୟା ମାମଲାର ପ୍ରାଥମିକ ତଦନ୍ତ ପରେ ଗତକାଲି ୬ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଆଜି ଫେରାର ଥିବା ଆଉ ୪ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କୁ ଫେରାର କରାଇବା ଅଭିଯୋଗରେ ପୁରୀ ଆମ୍ବପଡ଼ା ଗାଁର ଜଗନ ଖଟେଇକୁ ଗିରଫ କରାଯାଇଛି ।
ତେବେ ଏହି ହତ୍ୟାକାଣ୍ଡ ଘଟଣାରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦ ଜଣଙ୍କୁ ଗିରଫ କରାଯାଇଛି । ପ୍ରତିଶୋଧ ପାଇଁ କାଳିଆଙ୍କୁ ହତ୍ୟା କରାଯାଇଥିବା ନେଇ ଗତକାଲି ସୂଚନା ପ୍ରଦାନ କରିଛନ୍ତି ଏସପି । ଘଟଣାରେ ୯ଜଣଙ୍କ ସମ୍ପୃକ୍ତି ଥିବା ପୋଲିସ କହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କୁ ଗିରଫ କରାଯାଇଛି । କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରିବା ସମୟରେ ବାବା ମହାପାତ୍ରଙ୍କ ସମେତ କୁନମୁନି, ଟୁଟୁ ଓ ହରି ପଣ୍ଡା ଉପସ୍ଥିତ ଥିବା ଏତଲାରେ ରହିଛି । ୨୦୧୨ ମସିହାରେ ଗୁନ ସିଂହାରୀ ହତ୍ୟାକାଣ୍ଡର ପ୍ରତିଶୋଧ ନେବା ପାଇଁ ମୁଖ୍ୟ ଷଡ଼ଯନ୍ତ୍ରକାରୀ କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ ସିଂହାରୀ ସୁପାରୀ ଦେଇଥିଲେ । ହତ୍ୟାକାଣ୍ଡ ପାଇଁ ୩୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା । ଆଉ ୨ ଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଇଥିବା ପୋଲିସ ଗତକାଲି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲା ।
ସୂଚନାଯୋଗ୍ୟଯେ ୨୦୧୨ ମସିହା ଅଗଷ୍ଟ ୨୨ ତାରିଖରେ ତଳୁଚ୍ଛ ଭଗବାନ ମହାପାତ୍ର ଓରଫ ଗୁନ ସିଂହାରୀଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟା ମାମଲାର ପ୍ରତିଶୋଧ ନେବାକୁ ଏହି ହତ୍ୟାକାଣ୍ଡ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ତେବେ ଏହି ହତ୍ୟାକାଣ୍ଡରେ ସ୍ଥଳରେ ଉପସ୍ଥିତ ଥିବା ବାବା ମହାପାତ୍ରକୁ ଗିରଫ କରାଯାଇଛି । ସେହିପରି ହତ୍ୟାକାଣ୍ଡ ପାଇଁ ପିସ୍ତଲ ଯୋଗାଇଥିବା ମୁନା ପାତ୍ର ଏବଂ ହତ୍ୟାକାରୀଙ୍କୁ ଲୁଚାଇବାରେ ସହାୟତା କରିଥିବା ସନ୍ଦୀପ ଜେନା ଗିରଫ ହୋଇଛି । ସେହିଭଳି ଘଟଣାରେ ୯ଜଣଙ୍କ ସମ୍ପୃକ୍ତି ଥିବା ବେଳେ ୬ ଜଣଙ୍କୁ ଗିରଫ କରାଯିବା ସହ ଆଉ ୩ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ ।