ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ଜରୁରୀ ପଦକ୍ଷେପ ନେଇଚାଲିଛନ୍ତି । ରାଜ୍ୟ ଓ ରାଜ୍ୟବାସୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଆଜି ମଧ୍ୟ ଏକ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ତାଙ୍କ ଭିଡିଓ ବାର୍ତ୍ତାରେ କରୋନାକୁ ନେଇ ଚିନ୍ତାବ୍ୟକ୍ତ କରିବା ସହ ଆସନ୍ତା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ଅବଧି ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ସେ ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି, ଚଳିତ ଶତାବ୍ଦୀର ସବୁଠାରୁ ଭୟଙ୍କର ସ୍ଥିତି କରୋନା ଭୂତାଣୁକୁ ନେଇ ସୃଷ୍ଟି ହୋଇଛି । ସ୍ଥିତି ଏପରି ହୋଇଛି କି ଆମ ସମସ୍ତଙ୍କ ଜୀବନ ଯାତ୍ରା ଏଥିରେ ବ୍ୟାହତ ହୋଇଛି । ଏପରିକି ଆମେରିକା ପରି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଏହି ଭୂତାଣୁ ଦ୍ୱାରା ପ୍ରଭାବିତ ହୋଇଛି । ଏଥିରେ ଆମ ଅର୍ଥନୀତି ବିଗିଡି ଯାଇଛି । ତେବେ ଅର୍ଥନୀତି ଓ ମଣିଷ ଜୀବନ ମଧ୍ୟରୁ ସରକାର ଜୀବନକୁ ଗୁରୁତ୍ୱ ଦେଇ ଏହି ଲକଡାଉନକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଆଜି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇଛି । ଏଥିସହ କେନ୍ଦ୍ର ସରକାରଙ୍କୁ ମଧ୍ୟ ଲକଡାଉନ ଅବଧି ବୃଦ୍ଧି କରିବାକୁ ସୁପାରିଶ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବଧି ମଧ୍ୟରେ କୌଣସି ରେଳ, ବିମାନ ଚଳାଚଳ ନ କରିବାକୁ ମଧ୍ୟ କେନ୍ଦ୍ରକୁ ଅନୁରୋଧ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ତେବେ ଲକଡାଉନ ପାଇଁ ଜୀବନ ଯାତ୍ରାରେ ଦେଖାଦେଇଥିବା ସମସ୍ୟାର ସମାଧାନ ପାଇଁ କୃଷି କାର୍ଯ୍ୟ ଜାରି ରଖିବ।।କୁ କୁହାଯାଇଥିବା ବେଳେ ଗରିବ ଓ ମୁଲିଆ ଶ୍ରେଣୀର ଲୋକଙ୍କୁ ମହାତ୍ୱା ଗାନ୍ଧୀ କର୍ମ ନିଶ୍ଚିତ ଯୋଜନା ମାଧ୍ୟମରେ କାମ ଯୋଗାଇ ଦେବା ଉପରେ ଗୁରୁତ୍ୱାରୋପ କରାଯାଇଛି । ତେବେ ସେମାନଙ୍କୁ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେହିପରି ପନିପରିବା ଓ ମାଲ ପରିବହନକୁ ସୁରୁଖୁରୁରେ ପରିଚାଳନା କରାଯାଉଥିବା ସେ କହିଛନ୍ତି । ବାହାର ରାଜ୍ୟରେ ରହିଯାଇଥିବା ଓଡିଆଙ୍କ ପାଇଁ ସେମାନେ ଥିବା ରାଜ୍ୟର ସରକାର ସହ ଆଲୋଚନା ହୋଇଥିବା, ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଅନୁରୋଧ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।