ରାଜନୀତି

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ: ‘‘ମିଳିମିଶି ଲଢ଼ିବା, କରୋନାକୁ ହରାଇ”

(ମମତା ସାମଲ ): କରୋନା ମୁକାବିଲା ପାଇଁ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି। କେଉଁ ରାଜ୍ୟର କ’ଣ ସ୍ଥିତି ଅଛି ତାହା ପ୍ରଧାନମନ୍ତ୍ରୀ ଏହି ଆଲୋଚନା ବେଳେ ଜାଣିବାକୁ ଚାହିଁଥିଲେ।
ସାରା ଦେଶରେ ଯେଉଁ ଲକ୍‌ଡାଉନ୍‌ ଲାଗୁ ହୋଇଛି ତାହା କିପରି ସଫଳ ହେବ ଏବଂ ଲୋକମାନେ ଏହି ନିୟମ କିପରି ମାନିବେ ସେନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ମୋଦୀ ଆଲୋଚନା କରିଥିଲେ। ଆଲୋଚନା ବେଳେ ମୋଦୀ କରୋନା ବିରୋଧରେ ସମସ୍ତଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଇଥିଲେ। ମିଳିମିଶି ଲଢ଼ିଲେ ଆମେ କରୋନାକୁ ହରାଇ ପାରିବା ବୋଲି ମୋଦୀ କହିଥିଲେ। ଏପଟେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀଙ୍କ ଆଗରେ ବିଭିନ୍ନ ରାଜ୍ୟ ସରକାର ସେମାନଙ୍କ ଦାବି ରଖିଥିଲେ। କେଉଁ ରାଜ୍ୟ କରୋନା ମୁକାବିଲା ପାଇଁ ଅଧିକ ଅର୍ଥ ଦାବି କରିଥିଲା ତ ଆଉ କିଏ କେନ୍ଦ୍ର ପାଖରେ ପଡ଼ି ରହିଥିବା ବଳକା ଟଙ୍କା ଦାବି କରିଥିଲା। ଆଉ କେଉଁ ରାଜ୍ୟ ଅଧିକ ମେଡିକାଲ କିଟ୍‌, ମାସ୍କ, ସାନିଟାଇଜର ଆଦି ଦାବି କରିଥିଲା।

ପ୍ରଧାନମନ୍ତ୍ରୀ ସମସ୍ତଙ୍କ ଦାବି ଶୁଣିଥିଲେ। କରୋନା ଲଢ଼େଇ ପାଇଁ କେନ୍ଦ୍ର ସବୁ ପ୍ରକାର ସହାୟତା ଦେବାକୁ ପ୍ରସ୍ତୁତ ଅଛି ବୋଲି କହିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୫୦୦ କୋଟି ଟଙ୍କାର ଆର୍ଥିକ ସହାୟତା ମାଗିଥିଲେ। ଏହାସହ ଆଗରୁ ଥିବା ୫୦ ହଜାର କୋଟି ଟଙ୍କା ଏହି ସମୟରେ ଦେବାକୁ ମୋଦୀଙ୍କୁ ଅନୁରୋଧ କରିଥିଲେ। ସେହିପରି ପଞ୍ଜାବ ସରକାର ମଧ୍ୟ ୬୦ ହଜାର କୋଟି ଟଙ୍କା ମାଗିଛନ୍ତି। ଲକ୍‌ଡାଉନ୍‌ ବେଳେ ରାଜସ୍ୱ ଆୟ କମିବାର ସମ୍ଭାବନା ଥିବାରୁ ଏନେଇ କେନ୍ଦ୍ର କିଛି ବ୍ୟବସ୍ଥା କରିବାକୁ ବିଭିନ୍ନ ରାଜ୍ୟ ସରକାରମାନେ ଅପିଲ୍‌ କରିଥିଲେ। ଆଉ କିଛି ରାଜ୍ୟ ସରକାର ଲକ୍‌ଡାଉନ୍‌ ଅବଧି ବଢ଼ିବା ଉପରେ ପ୍ରଶ୍ନ କରିଥିଲେ।

‘କରୋନା ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଉତ୍ତମ ସମନ୍ୱୟ ରହିବ ବୋଲି ମୁଁ ଆଶା କରୁଛି। କେନ୍ଦ୍ର ସରକାର ଯାହା ପଦକ୍ଷେପ ନେବେ ରାଜ୍ୟମାନେ ତାକୁ ସମର୍ଥନ କରିବେ ବୋଲି ମୁଁ ଚାହୁଁଛି। ମିଳିମିଶି ଲଢ଼େଇ କଲେ ଆମେ କରୋନାକୁ ହରାଇ ପାରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

Related posts

ତୈଳ ଦର ବୃଦ୍ଧି ପ୍ରତିବାଦ: ବିଧାନସଭାକୁ ସାଇକେଲରେ ଆସିଲେ କଂଗ୍ରେସ ବିଧାୟକ

mahabharatanews

ବବିଙ୍କ ପାଇଁ ଦଳକୁ ବାହୁଡିବେ କଳ୍ପତରୁ

mahabharatanews

ପଦ୍ମପୁର ଉପନିର୍ବାଚନ କମିଲା ମତଦାନ ସମୟ

mahabharatanews