ଓଡିଶା

କୃଷି କାର୍ୟ୍ୟାଳୟରେ ରାସାୟନିକ ବିଶୋଧକ ସିଞ୍ଚନ

(ରଜନୀ କାନ୍ତ ପାତ୍ର/ହିଞ୍ଜିଳି): ମହାମାରୀ କରୋନା କବଳରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନ କବଳିତ ହୋଇଛି । ଗତ ପ୍ରାୟ ୬ ମାସ ଧରି ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ଘଟି ଆତଙ୍କ ସୃଷ୍ଟି କରିଥିଲା ବେଳେ ଏବେ କ୍ରମଶଃ ହ୍ରାସ ପାଇଛି । ଜିଲ୍ଲାକୁ କରୋନା ମୁକ୍ତ କରିବା ଲକ୍ଷ୍ୟରେ ପ୍ରଶାସନ ପକ୍ଷରୁ ସ୍ଥାନୀୟ ବ୍ଲକର ଗ୍ରାମାଞ୍ଚଳରେ ଜିରୋ ଆକ୍ଟିଭ କେସକୁ ଗୁରୁତ୍ୱ ପ୍ରଦାନ କରାଯାଇଛି । କିନ୍ତୁ ସାଧାରଣ ଲୋକଙ୍କ ଜୀବନ ସହ ପ୍ରତ୍ୟକ୍ଷ ଭାବେ ସଂସ୍ପର୍ଶରେ ଆସୁଥିବା କିଛି ସରକାରୀ କର୍ମଚାରୀ କିମ୍ବା ଅଧିକାରୀ ସଂକ୍ରମିତ ହେବା ଦେଖାଯାଇଛି । ତେବେ ସ୍ଥାନୀୟ କୃଷି ବିଭାଗରେ କାର୍ୟ୍ୟରତ ହିଞ୍ଜିଳି ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥ କରୋନା ସଂକ୍ରମିତ ହେବା ଜଣାପଡିଛି। କୋଭିଡ ପରୀକ୍ଷଣ ରିପୋର୍ଟ ପଜିଟିଭ ଆସିବା ପରେ ସେ ସଂପ୍ରତି ଚିକିତ୍ସାଧୀନ ଅବସ୍ଥାରେ ଥିବା ସୂଚନା ମିଳିଛି । ଫଳରେ ଲୋକ ତଥା କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ୱ ପ୍ରଦାନ କରି ବ୍ଲକ ପ୍ରଶାସନ ପକ୍ଷରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଡ଼ିଓ ପ୍ରସନ୍ନ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ସୋମବାର ସମ୍ପୃକ୍ତ କୃଷି କାର୍ୟ୍ୟାଳୟକୁ ରାସାୟନିକ ବିଶୋଧକ ସିଞ୍ଚନ କରି ସମ୍ପୂର୍ଣ୍ଣ ବିଶୋଧିତ କରାଯାଇଛି। ସ୍ଥାନୀୟ ହିଞ୍ଜିଳି ଅଗ୍ନିଶମ ବିଭାଗର ଷ୍ଟେସନ ଅଧିକାରୀ ଗୌତମ ସାହୁ, ସନ୍ତୋଷ କୁମାର ଗୌଡ଼ ଓ ବିଭୁତି ଭୂଷଣ ଜେନା ପ୍ରମୁଖ ସିଞ୍ଚନ ପ୍ରକ୍ରିୟାରେ ସାମିଲ ହୋଇଥିଲେ ।

Related posts

ରେଳ ଦୁର୍ଘଟଣା : ଏସସିବିରେ ଆଖି ବୁଜିଲେ ଆଉ ଜଣେ ଆହତ 

mahabharatanews

ବ୍ରହ୍ମପୁର ଏସପି ଦେଇଥିବା ଏକ ବୟାନକୁ ନେଇ ଆପତ୍ତି ଉଠାଇଥିଲେ ହାଇକୋର୍ଟ

mahabharatanews

ଆଜି ବନକଲାଗି ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

mahabharatanews