(ଭୁବନେଶ୍ୱର) : ରାଜ୍ୟରେ ମୌସୁମୀଜନିତ ବର୍ଷା ପରେ ଏବେ ଶୁଖିଲା ରହିଛି ପାଗ । ରାଜ୍ୟର କୌଣସି ଜିଲ୍ଲାରେ ପ୍ରାୟତଃ ବର୍ଷା ନାହିଁ । ଏହା ସହ ଆସନ୍ତା ୨ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବ । ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ରେଖା ରକ୍ସୌଲ, ଡାଲଟନଗଞ୍ଜ, କାଙ୍କେର, ରାମଗୁଣ୍ଡମ, ବିଜାପୁର, ଭେଙ୍ଗୁର୍ଲା ଦେଇ ଗତି କରୁଛି । ବିହାର, ଝାଡ଼ଖଣ୍ଡ ଓ ଛତିଶଗଡ଼ର ଆଉ କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ସ୍ଥିତି ଅନୁକୂଳ ରହିଛି ।
ସୂଚନାନୁଯାୟୀ , ରାଜ୍ୟରେ ତିନି ଦିନ ହେବ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଲାଗି ରହିଛି । ଏପରି ସ୍ଥିତି ଆଗକୁ ଆହୁରି ୫ ଦିନ ଲାଗିରହିବ । ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଅକ୍ଟୋବର ୧୬ ପର୍ଯ୍ୟନ୍ତ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଉଭୟ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନ ହେବ ନାହିଁ । ଆସନ୍ତା ୫ ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକ ଠାରୁ ୨ -୩ ଡିଗ୍ରି ଅଧିକ ରହିବାର ସମ୍ଭାବନା ରହିଛି । ସନ୍ଧ୍ୟା/ରାତି ସମୟରେ ଆକାଶ ଆଂଶିକ ମେଘୁଆ ହୋଇପାରେ ।
