(ନୁଆଦିଲ୍ଲୀ): ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକତ୍ୱ ପଞ୍ଜିକା (ଏନଆରସି)କୁ ନେଇ ଦିଲ୍ଲୀର ଜାଫରାବାଦରେ ହିଂସା ଦିନକୁ ଦିନ ତେଜିବାରେ ଲାଗିଛି । ସୋମବାର ଉଭୟ ସିଏଏ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷରୁ ଏହି ହିଂସା ହୋଇଛି । ତେବେ ପ୍ରଦର୍ଶନକାରୀମାନେ ଏଠାରେ ୩ଟି ଗାଡି ଜାଳି ଦେଇଛନ୍ତି । ଏହାସହ ସିଏଏ ସପକ୍ଷବାଦୀ ଗୋଷ୍ଠୀ ଓ ବିରୋଧୀମାନେ ପରସ୍ପରକୁ ପଥରମାଡ କରିଛନ୍ତି । ପ୍ରଦର୍ଶନକାରୀମାନେ ଗୁଳିଚାଳନା କରିଥିବା ମଧ୍ୟ ଜଣାପଡିଛି । ଗୁଳିମାଡ଼ରେ ଜଣେ ଯୁବକ ଓ ପୋଲିସ କର୍ମୀ ଆହତ ହୋଇଥିବା ଜଣାଯାଇଛି । ଏହାବ୍ୟତୀତ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ବିକ୍ଷୋଭକାରୀଙ୍କ ହିଂସାର ଶିକାର ହେବାକୁ ପଡିଛି । ସେହିପରି ଦିଲ୍ଲୀର ମୌଜପୁର ଅଞ୍ଚଳରେ ମଧ୍ୟ ସିଏଏ ସମର୍ଥକ ଓ ବିରୋଧୀମାନେ ମୁହାଁମୁହିଁ ହୋଇଛନ୍ତି । ଏଠାରେ ହିଂସାକୁ ଦମନ କରିବାକୁ ଯାଇ ୧୫ ପୋଲିସ କର୍ମଚାରୀଙ୍କୁ ଆହତ ହେବାକୁ ପଡିଛି । ଏହି ଦୁଇ ଅଞ୍ଚଳରେ ସିଏଏକୁ ନେଇ ଉପୁଜିଥିବା ହିଂସାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଉତ୍ତରପୂର୍ବ ଦିଲ୍ଲୀର ୧୦ଟି ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶାନ୍ତି ବଜାୟ ରଖିବାକୁ ଟୁଇଟ୍ କରି ଆହ୍ୱାନ ଦେଇଛନ୍ତି । ଉପରାଜ୍ୟପାଳ ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ମଧ୍ୟ ଆଇ ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ ସେ ନିବେଦନ କରିଛନ୍ତି । ଜାଫରାବାଦ ଏବଂ ମୌଜପୁର-ବାବରପୁର ରେଳ ଷ୍ଟେସନକୁ ବନ୍ଦ କରିଦିଆଯାଇଛି । ଏହି ଦୁଇ ଷ୍ଟେସନର ପ୍ରବେଶ ଏବଂ ପ୍ରସ୍ଥାନ ଦ୍ୱାରକୁ ବନ୍ଦ କରାଯାଇଥିବା ଦିଲ୍ଲୀ ମେଟ୍ରୋ ଷ୍ଟେସନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଦିଲ୍ଲୀର ମୌଜପୁର ଅଞ୍ଚଳରେ ଏନଆରସିକୁ ନେଇ ଏହାର ସମର୍ଥକ ଓ ବିରୋଧୀମାନଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏହି ସମୟରେ ଉଭୟ ଗୋଷ୍ଠୀ ପରସ୍ପରକୁ ପଥର ମାଡ଼ କରିଥିଲେ । ଫଳରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ଲୁହ ବୁହା ଗ୍ୟାସର ପ୍ରୟୋଗ କରିଥିଲା ।
previous post
next post