ୱାଶିଂଟନ: ବିଶ୍ୱର ସର୍ବଶକ୍ତିଶାଳୀ ରାଷ୍ଟ୍ର ଆମେରିକା କରୋନା ଭୂତାଣୁ ସଂକ୍ରମଣରେ ବିଶ୍ୱରେ ଆଗରେ ରହିଛି । ଇଟାଲୀ, ସ୍ପେନ, ଚୀନ ସବୁ ଦେଶକୁ ପଛରେ ପକାଇ ଦେଇଛି ଆମେରିକାରେ କରୋନା ସଂକ୍ରମଣ । ଆମେରିକାରେ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି କରୋନା ସ୍ଥିତି । ଦେଶରେ କରୋନା ଭୂତାଣୁ ଯୋଗୁ ମୃତ୍ୟୁ ସଂଖ୍ୟା ୪୦ ହଜାର ଅତିକ୍ରମ କରିଛି। ଜନ୍ସ ହପକିନ୍ସ ବିଶ୍ଵବିଦ୍ୟାଳୟ ତଥ୍ୟ ଅନୁସାରେ ସୋମବାର ସୁଦ୍ଧା ଆମେରିକାରେ ୪୦ ହଜାର ୬୮୨ ଜଣ କରୋନାରେ ପ୍ରାଣ ହରାଇଥିବାବେଳେ ୭ଲକ୍ଷ ୫୯ ହଜାର ୬୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶର ନ୍ୟୁୟର୍କ ସହର ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। କେବଳ ନିୟର୍କରେ ୧୮ ହଜାର ୨୯୮ ଜଣ ପ୍ରାଣ ହରାଇଥିବାବେଳେ ୨ ଲକ୍ଷ ୪୮ ହଜାର ୪୧୭ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ନ୍ୟୁଜର୍ସୀ ସହରରେ ୮୫ ହଜାର ୩୦୧ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪୩୬୨ ଜଣଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ମାସାଚୁସେଟ୍ସରେ ୩୮ ହଜାର ୭୭, ପେନସିଲଭାନିଆରେ ୩୨ ହଜାର ୯୦୨, କାଲିଫର୍ନିଆରେ ୩୧ ହଜାର ୫୨୮, ମିଚିଗାନରେ ୩୧ ହଜାର ୪୨୪, ଇଲିନଏସରେ ୩୦ ହଜର ୩୫୭ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟପଟେ ଲକ୍ ଡାଉନ୍ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଏବଂ ଗଭର୍ନରଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଗଭର୍ନରମାନେ ଲକ୍ ଡାଉନ୍ ନେଇ କଡ଼ାକଡ଼ି ନିୟମ ପ୍ରଣୟନ କରିଥିବା ଟ୍ରମ୍ପ୍ ଅଭିଯୋଗ କରିଛନ୍ତି।
previous post
next post