(ଜୟନ୍ତ କୁମାର ସେଠୀ / ଗୋପ) ; ଆଜି ଶ୍ରୀମନ୍ଦିରରେ କାଳୀୟ ଦଳନ ବେଶ ଏବଂ ଧେନୁକାସୁର ବଧ ନିତୀ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଏକାଦଶୀ ଦିନ ଶ୍ରୀମନ୍ଦିରରେ ରତ୍ନ ସିଂହାସନ ଉପରେ କାଳୀୟ ଦଳନ ବେଶ ଅନୁଷ୍ଠିତ ହେବା ସହ କାଳୀୟଦଳନ ଘଟଣାଟିକୁ ଶ୍ରୀମନ୍ଦିର ବାହାରେ ଥିବା ମାର୍କଣ୍ଡେୟ ପୋଖରୀ କୂଳରେ ରୂପାୟିତ କରାଯାଇଥାଏ । ମହାପ୍ରଭୁ ଯମୂନା ଜଳରେ କୃଷ୍ଣରୂପରେ କାଳୀୟ ସର୍ପକୁ ଦଳନ କରିଥିଲେ । ତାହାର ସ୍ମାରକ ରୂପେ ଏହି ବେଶ ହୁଏ । ଏହିଦିନ ମହାପ୍ରଭୁଙ୍କ ବିଜେପ୍ରତିମା ମଦନମୋହନ ଓ ରାମକୃଷ୍ଣ ମାର୍କଣ୍ଡପୋଖରୀ ପାଖକୁ ଯାଆନ୍ତି ଓ ସେଠାରେ କାଳୀୟଦଳନ କରନ୍ତି ।ରତ୍ନସିଂହାସନରେ ବେଶ ଉପଚାର ଆରମ୍ଭ ହେବା ପୂର୍ବରୁ ଜଗନ୍ନାଥଙ୍କ ଅଷ୍ଟଧାତୁ ନିର୍ମିତ ଚଳନ୍ତି ପ୍ରତିମା ମଦନମୋହନଙ୍କୁ ଲବଣଖିଆ ଛକଦେଇ ମାର୍କଣ୍ଡେୟ ପୋଖରୀ କୂଳକୁ ନିଆଯାଇଥାଏ । ସରୋବରସ୍ଥ ଦୀପଦାଣ୍ଡି ମଣ୍ଡପରେ ରୂପକାରଙ୍କଦ୍ୱାରା କାଷ୍ଠ ନିର୍ମିତ ଏକ କାଳୀୟନାଗକୁ ସଜ୍ଜିତ କରି ରଖାଯାଇଥାଏ । ସେଇ କାଳୀୟକୁ ଦଳନ କରିବା ପାଇଁ ଜଣେ ସେବାୟତ କୃଷ୍ଣବେଶରେ ଓ ଅନ୍ୟଜଣେ ବ୍ୟକ୍ତି ଗରୁଡ଼ ବେଶରେ ପ୍ରସ୍ତୁତ ହୋଇ ଥାଆନ୍ତି । ଭାଗବତ ବର୍ଣ୍ଣିତ କାଳୀୟଦଳନର ମଧ୍ୟକାଳେ କାଳୀୟଦ୍ୱାରା କବଳିତ ହୋଇ ଶ୍ରୀକୃଷ୍ଣ ଗରୁଡ଼ଙ୍କୁ ସ୍ମରଣ କରିଥାନ୍ତି । ଗରୁଡ଼ ବେଶରେ ଥିବା ବ୍ୟକ୍ତି ଜଣକ ଆବିର୍ଭାବ ହୋଇ ଶ୍ରୀକୃଷ୍ଣଙ୍କୁ କାଳୀୟର ବନ୍ଧନରୁ ମୁକ୍ତ କରିବା ସହ ବିଷମୁକ୍ତ ହେବା ନିମନ୍ତେ ତାଙ୍କ ପାଟିରେ ଅମୃତ ଲଡୁ ଦେଇଥାନ୍ତି ।
ରତ୍ନସିଂହାସନରେ ଶ୍ରୀଜଗନ୍ନାଥଙ୍କୁ ସାତଗୋଟି ଫଣାଥିବା ଗୋଟିଏ କଳାନାଗ ଉପରେ ନାଚୁଥିବା ପରି ପ୍ରଦର୍ଶିତ କରାଯାଇଥାଏ । କାଳୀୟନାଗଟିକୁ ରୂପକାରମାନେ ବେତ, କଳାକନା ଓ ସୂତାରେ ଦରଜିମାନଙ୍କ ସହାୟତାରେ ନିର୍ମାଣ କରିଥାନ୍ତି । ଏହି ବେଶପାଇଁ ଜଗନ୍ନାଥ ଓ ବଳଭଦ୍ରଙ୍କ ବିଗ୍ରହରେ କାଷ୍ଠ ନିର୍ମିତ ହସ୍ତ ପଦଯୁକ୍ତ କରାଯାଇ ଥାଏ। ବଳଭଦ୍ର ହସ୍ତଦ୍ୱୟରେ ହଳ ଓ ମୁଷଳ ଧାରଣ କରିଥାନ୍ତି ଏବଂ ତାଙ୍କ ସମ୍ମୁଖରେ ଥାଏ କାଷ୍ଠ ନିର୍ମିତ ଗାଈ ଓ ବାଛୁରୀ । ଶ୍ରୀଜଗନ୍ନାଥଙ୍କ ପାଦ କାଳୀୟର ମସ୍ତକ ଉପରେ ଥିବା ବେଳେ ବାମ ହାତରେ କାଳୀୟର ଲାଞ୍ଜ ଓ ଶୋଲ ନିର୍ମିତ ଶିଙ୍ଗା ଧରିଥାନ୍ତି । ଅନ୍ୟ ହାତରେ ସୋଲ ନିର୍ମିତ ପ୍ରସ୍ଫୁଟିତ ପଦ୍ମଫୁଲଟିଏ ଧରିଥାଆନ୍ତି । କାଳୀୟ ମର୍ଦ୍ଦନ କରୁଥିବା ଜଗନ୍ନାଥଙ୍କ ଦୁଇପାର୍ଶ୍ୱରେ କାଷ୍ଠ ନିର୍ମିତ ଦୁଇଟି ନାଗୁଣୀ ମୂର୍ତ୍ତି ପ୍ରାର୍ଥନା କରୁଥିବା ଭଙ୍ଗୀରେ ରଖାଯାଇଥାଏ ।
