ଭୁବନେଶ୍ୱର : ଆଜି ହେଉଛି ମହାଦେବଙ୍କ ମହାଶିବରାତ୍ରୀ । ଏଥିପାଇଁ ଚଳଚଞ୍ଚଳ ସମସ୍ତ ଶୈବପୀଠ । ହିନ୍ଦୁଧର୍ମରେ ମହାଶିବରାତ୍ରୀକୁ ମହାଆଡମ୍ବରରେ ପାଳନ କରାଯାଇଥାଏ । ଶ୍ରଦ୍ଧାଳୁ ମାନେ ଜାଗରରେ ମହାଦୀପ ଉଠିବା ଯାଏ ଉପବାସ କରନ୍ତି । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବ ଲିଙ୍ଗ ଭାବେ ଆବିର୍ଭୃତ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ଶିବରାତ୍ରୀ ଭାବେ ପାଳନ କରାଯାଏ । ବିଗତ ଦୁଇ ବର୍ଷ ହେବ କରୋନା ପାଇଁ ବିଭିନ୍ନ ନିୟମ ଭିତରେ ମହାଶିବରାତ୍ରୀ ପାଳନ ହେଉଛି । ମହାଶିବରାତ୍ରୀ ଅବସରରେ ମନ୍ଦିର ଗର୍ଭ ଗୃହକୁ ପ୍ରବେଶ ନିଷେଧ ଥିବାବେଳେ ଆଡ କାଠ ଯାଏ ଶ୍ରଦ୍ଧାଳୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ । ଚଳିତଥର କୋଭିଡ ସଂକ୍ରମଣ କମିଥିଲେ ମଧ୍ୟ ବିଭିନ୍ନ ନିୟମ ଲାଗୁ କରିଛି ପ୍ରଶାସନ । ଏକାମ୍ର କ୍ଷେତ୍ର ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ । ସାମାଜିକ ଦୂରତା ଅବଲମ୍ବନ କରି ମନ୍ଦିର ବେଢାରେ ଶ୍ରଦ୍ଧାଳୁ ଦୀପ ଦାନ କରିପାରିବେ । ସେପଟେ କଟକ ଜିଲ୍ଲାର ପ୍ରମୁଖ ଶୈବପୀଠ ଧବଳେଶ୍ୱରରେ ୧୪୪ ଧାରା ଲାଗୁ କରାଯାଇଛି । କିନ୍ତୁ ଜିଲ୍ଲା ଅନ୍ୟ ସମସ୍ତ ଶୈବପୀଠରେ ଭକ୍ତଙ୍କ ଭିଡ଼ ଲାଗିଛି । ଅନ୍ୟପକ୍ଷରେ ପବିତ୍ର ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସ । ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ କଟକଣା କୋହଳ କରାଯାଇଛି। କେବଳ ଜିଲ୍ଲାବାସୀଙ୍କୁ ମିଳିଛି ଦର୍ଶନର ସୁଯୋଗ । ତେବେ ରାଜଧାନୀରେ ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୬ ଜଣ ଅତିରିକ୍ତ ଡିସିପି,୧୨ ଜଣ ଏସିପି, ୧୯ ଜଣ ଇନ୍ସପେକ୍ଟର, ୮୫ ଅଫିସରଙ୍କ ସହ ପ୍ରାୟ ୨୭ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଡିସିପି ଟ୍ରାଫିକ ଏ ଦାୟିତ୍ବରେ ରହିବେ ।
