ନୂଆଦିଲ୍ଲୀ: ଆଜି ନୂଆ ଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ। ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲର ଏହି ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବୈଠକର ମୁଖ୍ୟ ଫୋକସରେ ରହିଛି ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ। ଏଥିପାଇଁ ଆଲୋଚନାର ପ୍ରମୁଖ ୫ଟି ପ୍ରସଙ୍ଗ ରୁପେ ପାନୀୟ ଜଳ, ବିଦ୍ୟୁତ, ସ୍ବାସ୍ଥ୍ୟସେବା, ଶିକ୍ଷା ଏବଂ ଜମି ଓ ସଂପତ୍ତି ଡିଜିଟାଇଜେସନ ଉପରେ ଗୁରୁତ୍ୱ ଦିଆଯିବ । ଏଥିସହ ସାଇବର ସିକ୍ୟୁରିଟି ଏବଂ AI ଉପରେ ମଧ୍ୟ ସ୍ୱତନ୍ତ୍ର ଅଧିବେଶନରେ ଆଲୋଚନା କରାଯିବ। ଗତ ଡିସେମ୍ବରରେ ଅନୁଷ୍ଠିତ ତୃତୀୟ ଜାତୀୟ ମୁଖ୍ୟ ଶାସନ ସଚିବ ସମ୍ମିଳନୀରେ ଦିଆଯାଇଥିବା ସୁପାରିଶଗୁଡ଼ିକର ମଧ୍ୟ ସମୀକ୍ଷା ହେବ। ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳ ଏବଂ ବହୁ କେନ୍ଦ୍ରମନ୍ତ୍ରୀ ଯୋଗ ଦେବେ।
ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଏହି ବୈଠକରେ ସାମିଲ ହେଉଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୈଠକରେ ସାମିଲ ହେଉଥିବା ବେଳେ ତାମିଲନାଡୁ, ତେଲେଙ୍ଗାନା, କର୍ଣ୍ଣାଟକ, ହିମାଚଳ ପ୍ରଦେଶ, ପଞ୍ଜାବ, କେରଳ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ସାମିଲ ହେଉନଥିବା ଜଣାପଡିଛି। ତେବେ ଏହି ବୈଠକରେ ସାମିଲ ହେବା ପୂର୍ବରୁ ନୀତି ଆୟୋଗକୁ ଭାଙ୍ଗି ପୁଣିଥରେ ଯୋଜନା ଆୟୋଗ ଗଠନ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଦାବି କରିଛନ୍ତି।
