ପ୍ରଥମେ ମା’ ସୁଭଦ୍ରାଙ୍କ ଦେବଦଳନ ରଥ, ପରେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ଟଣାଯାଇ ଶରଧାବାଲିରେ ନାକଚଣା ଦ୍ୱାର ନିକଟରେ ଦକ୍ଷିଣମୋଡ଼ କରାଯାଏ। ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ରଥଯାତ୍ରାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ନୀତି ହେଉଛି ରଥର ଦକ୍ଷିଣମୋଡ଼ । ଗତକାଲି ଆଜ୍ଞାମାଳ ଆସିବା ପରେ ଦକ୍ଷିଣମୋଡ଼ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ନୀତିକୁ ଅଧାରେ ବନ୍ଦ କରିବାକୁ ପଡ଼ିଥିଲା । ଗତକାଲି କେବଳ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ଦକ୍ଷିଣମୋଡ଼ ସମ୍ପନ୍ନ ହୋଇଥିଲା । ଆଜି ଦ୍ୱିତୀୟ ଦିନରେ ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥର ଦକ୍ଷିଣମୋଡ଼ ନୀତି ଆରମ୍ଭ ହୋଇଛି ।
ଏହି ଦକ୍ଷିଣମୋଡ଼ ପରେ ବାହୁଡ଼ା ଯାତ୍ରା ଦିନ ତିନି ରଥ ସିଧାସଳଖ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିବା ପାଇଁ ପ୍ରସ୍ତୁତ ରହିବେ। ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପରବର୍ତ୍ତୀ ତଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପର୍ବ ବାହୁଡ଼ା ଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଦକ୍ଷିଣମୋଡ଼ ପରେ ବାହୁଡ଼ା ଯାତ୍ରା ଦିନ ତିନି ରଥ ସିଧାସଳଖ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିବା ପାଇଁ ପ୍ରସ୍ତୁତ ରହିବେ। ରଥ ଚାଳନାକୁ ସୁରୁଖୁରୁ କରିବା ପାଇଁ ବଡ଼ଦାଣ୍ଡରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେହିପରି ସେବାୟତ, ପ୍ରଶାସନ ଓ ପୁଲିସ ପକ୍ଷରୁ ସମସ୍ତ ଆବଶ୍ୟକ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
